ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ପାଇଁ ଘରକୁ ମହମବତୀରେ ସଜାଇଥିଲେ ଯୁବକ, ଜଳିଗଲା ଘର

ନୂଆଦିଲ୍ଲୀ: ନିଜ ଜୀବନର ବିଶେଷ ମୁହୂର୍ତ୍ତକୁ ଖାସ୍ କରିବା ପାଇଁ  ଲୋକେ ଭିନ୍ନ ଭିନ୍ନ ବାଟ ଆପଣାଇଥାନ୍ତି। କେହି କେହି ବିଦେଶ ଯାଇ ବିବାହ ପ୍ରସ୍ତାବ ଦେଇଥାନ୍ତି ତ କେହି କେହି ବାହାରକୁ ଡେଟରେ ଯାଇ ବିବାହ ପ୍ରସ୍ତାବ ଦେଇଥାନ୍ତି। କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ବିବାହ ପ୍ରସ୍ତାବ ଦେବା ପାଇଁ ନିଜ ଘରକୁ ମହମବତୀରେ ସଜାଇ ଫସିଥିବା ଜଣା ପଡ଼ିଛି। ଘରକୁ ସଜାଇ ପ୍ରେମିକାକୁ ଆଣିବାକୁ ଯାଇଥିବା ବେ‌ଳେ ଘରଟି ସଂପୂର୍ଣ୍ଣ ଜଳିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣା ପରେ ଘରେ ଥିବା ଜିନିଷ ସବୁ କେମିତି ପୋଡି ହୋଇ ନଷ୍ଟ ହୋଇଯାଇଛି, ତାହାର ଫଟୋ ଏବେ ଭାଇରାଲ ହୋଇଛି।

ସୂଚନା ମୁତାବକ, ଜଣେ ଯୁବକ ‘ଶହ ଶହ’ ଟି-ଲାଇଟ୍ ମହମବତୀ ବ୍ୟବହାର କରି ଏକ ରୋମାଣ୍ଟିକ୍ ବିବାହ ପ୍ରସ୍ତାବ ଦେବା ପାଇଁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ଯୋଜନା ତାଙ୍କ ଘର ଜାଳିଦେବ ବୋଲି ସେ ଜାଣିନଥିଲେ। ଘରକୁ ସଜାଇ ପ୍ରେମିକାକୁ ଆଣିବାକୁ ଯାଇଥିବା ବେଳେ ସଂପୂର୍ଣ୍ଣ ଘର ଜଳି ଯାଇଥିଲା। ଏହି ଘଟଣାର କାହାଣୀ ଦକ୍ଷିଣ ୟର୍କଶାୟାରର ଅଗ୍ନିଶମ ବିଭାଗ ଟ୍ୱିଟରରେ ସେୟାର କରି କହିଛି ଯେ, ଶେଫିଲ୍ଡରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବା ପରେ ତିନି ଜଣ କର୍ମଚାରୀଙ୍କୁ ଡକାଯାଇଥିଲା। ସୌଭାଗ୍ୟବଶତଃ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଠିକ୍ ସମୟରେ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ ଏବଂ କେହି ମୃତାହତ ହେବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର