ବିବାହିତା ଝିଅ ବାପାର ଚାକିରି ଦାବି କରିପାରିବ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ଜଣେ ଝିଅ ବିବାହ କଲେ ମଧ୍ୟ ବିବାହ ପ‌ରେ ସେ ତା’ ପରିବାରର ଏକ ସଦସ୍ୟ ନୁହେଁ ବୋଲି କୁହାଯାଇପାରିବନି। ପୁଅ ପରି ବିବାହିତା ଝିଅ ମଧ୍ୟ ଅନୁକମ୍ପା ଆଧାରରେ ବାପାର ଚାକିରି ଦାବି କରିପାରିବ। କର୍ଣ୍ଣାଟକ ହାଇକୋର୍ଟ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବେଙ୍ଗାଲୁରୁର ଭ‌ୁବନେଶ୍ବରୀ ଭି ପୁରାନିକ୍‌ ନାମ୍ନୀ ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଭୁବନେଶ୍ବରୀଙ୍କ ବାପା ଅଶୋକ ଅଦିଭେପ୍ପା ମଦିଭଲାର କୁଡ଼ୁଚିର କୃଷି ଉତ୍ପାଦ ମାର୍କେଟିଂ କମିଟି ଅଫିସ୍‌ରେ ଜଣେ ସଚିବ ଭାବେ କାମ କରୁଥିଲେ। ଅଶୋକଙ୍କ ମୃତ୍ୟୁ ପରେ ଝିଅ ଭୁବନେଶ୍ବରୀ ଅନୁକମ୍ପା ଆଧାରରେ ୨୦୧୭ରେ ବାପାଙ୍କ ଚାକିରି ପାଇଁ ଆବେଦନ କରିଥିଲେ।

କିନ୍ତୁ କୃଷି ବିଭାଗର ଜ‌ଣେ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରୀଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିଥିଲେ। ଭୁବନେଶ୍ବରୀ ପ୍ରଶାସନର ଏହି ନିର୍ଦ୍ଦେଶକୁ ବିରୋଧ କରିଥିଲେ ଏବଂ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ। ହାଇକୋର୍ଟ କହିଛନ୍ତି, ଯଦି ଜଣେ ପୁଅ ବିବାହ କରିବାପରେ ବାପାର ଚାକିରି ଦାବି କରିପାରୁଛି ଝିଅ କ୍ଷେତ୍ରରେ ଭିନ୍ନ ନୀତି କାହିଁକି। ବିବାହିତା ପୁଅ ପରି ବିବାହିତା ଝିଅମାନେ ମଧ୍ୟ ବାପାର ଚାକିରି ଦାବି କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର