ଚଣ୍ଡୀଗଡ଼: ପୂର୍ବ ଜୀବନସାଥୀଙ୍କୁ ଛାଡ଼ପତ୍ର ନଦେଇ ଏକାଠି ରହୁଥିବା ଦମ୍ପତି ‘ଲିଭ୍-ଇନ୍ ରିଲେସନ୍ସିପ୍’ ବା ‘ବିବାହ ଭଳି’ ବନ୍ଧନର ପରିଭାଷାରେ ଅନ୍ତର୍ଭୁକ୍ତ ନୁହନ୍ତି ବୋଲି ହାଇକୋର୍ଟ କହିଛନ୍ତି। ଆଇପିସିର ଧାରା ୪୯୪/୪୯୫ ଅନୁଯାୟୀ ଏହା ବାଇଗାମୀ (ଦ୍ବିବିବାହ)ର ଏକ ଅପରାଧ ବୋଲି କୋର୍ଟ କହିଛନ୍ତି। ବ୍ୟଭିଚାର ଘଟଣାରେ କୌଣସି ଆପରାଧିକ ମାମଲାକୁ ଏଡ଼ାଇବା ପାଇଁ ବର୍ତ୍ତମାନର ପିଟିସନ୍ ଦାଖଲ କରାଯାଇଛି। ଆବେଦନକାରୀଙ୍କ ଲୁକ୍କାୟିତ ଉଦ୍ଦେଶ୍ୟ କେବଳ ସେମାନଙ୍କ ଆଚରଣ ଉପରେ ଅଦାଲତର ସିଲ୍ ହାସଲ କରିବା ବୋଲି ହାଇକୋର୍ଟ କହିଛନ୍ତି। ପଞ୍ଜାବର ଜଣେ ପଳାତକ ଦମ୍ପତି କୋର୍ଟର ସୁରକ୍ଷା ପାଇଁ ଦାଖଲ କରିଥିବା ଆବେଦନକୁ ଖାରଜ କରି ଜଷ୍ଟିସ କୁଲଦୀପ ତିୱାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଅଦାଲତଙ୍କୁ ଜଣାଇଥିଲେ ଯେ, ମହିଳା ସାଥୀ ୨୦୦୨ ଜାନୁଆରିରେ ଏବଂ ପୁରୁଷ ୧୯୯୬ ଏପ୍ରିଲରେ ଜନ୍ମ ଗ୍ରହଣ କରିଥିବାରୁ ଉଭୟ ସାବାଳକତ୍ବ ହାସଲ କରିଛନ୍ତି। ସେପ୍ଟେମ୍ବର ୨୦୨୩ରୁ ସେମାନେ ଲିଭ୍-ଇନ୍ ରିଲେସନ୍ସିପ୍ରେ ଅଛନ୍ତି। ଯଦିଓ ସେମାନଙ୍କ ସମ୍ପର୍କକୁ ପୁରୁଷ ପାର୍ଟନରଙ୍କ ପରିବାର ସଦସ୍ୟ ଗ୍ରହଣ କରିଛନ୍ତି, ତଥାପି ମହିଳା ପାର୍ଟନରଙ୍କ ସମ୍ପର୍କୀୟମାନେ ଏହାକୁ ବିରୋଧ କରି ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ। ଏହା ସେମାନଙ୍କୁ ଜୀବନ ଓ ସ୍ୱାଧୀନତାର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ କରିଥିଲା।
ଶୁଣାଣି ସମୟରେ ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ, ପୁରୁଷ ସାଥୀ କେବଳ ବିବାହିତ ନୁହନ୍ତି ବରଂ ତାଙ୍କର ଏକ ୨ ବର୍ଷର କନ୍ୟା ସନ୍ତାନ ଅଛି ଏବଂ ସେ ତାଙ୍କ ଜୀବନସାଥୀଙ୍କୁ ଛାଡ଼ପତ୍ର ଦେଇନାହାନ୍ତି। ଦମ୍ପତିଙ୍କୁ କୌଣସି ସୁରକ୍ଷା ପ୍ରଦାନ କରିବାକୁ ମନା କରି ହାଇକୋର୍ଟ କହିଛନ୍ତି, ତାଙ୍କ ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଅନ୍ୟ ଜଣଙ୍କ ସହ ବ୍ୟଭିଚାରପୂର୍ଣ୍ଣ ଜୀବନ ଯାପନ କରିବା ଆଇପିସିର ଧାରା ୪୯୪/୪୯୫ (ବାଇଗାମୀ) ଅନୁଯାୟୀ ଦଣ୍ଡନୀୟ ଅପରାଧ। ଜୀବନ ପ୍ରତି ବିପଦ ଥିବା ଅଭିଯୋଗକୁ ମଧ୍ୟ ଅଦାଲତ ଅସ୍ପଷ୍ଟ ବୋଲି କହିଛନ୍ତି।