ଅହମ୍ମଦାବାଦ: ଡାକରେ ଆସିଲା ଶୌର୍ଯ୍ୟ ଚକ୍ର ପୁରସ୍କାର | ଆଉ ଏହାକୁ ଅପମାନ କହି ଫେରାଇଦେଲେ ସହିଦଙ୍କ ବାପା | ଗୁଜୁରାଟରେ ଜଣେ ସହିଦ ସୈନିକଙ୍କ ପରିବାର, ଡାକ ମାଧ୍ୟମରେ ଆସିଥିବା ବୀରତା ପୁରସ୍କାରକୁ ଫେରସ୍ତ କରିଦେଇଛନ୍ତି | ସହିଦଙ୍କ ପରିବାର କହିଛନ୍ତି ଯେ ଏହା ତାଙ୍କ ପୁଅ ଲାନ୍ସ ନାୟକ ଗୋପାଳ ସିଂ ଭଦୌରିଆଙ୍କ ପାଇଁ ଏକ ଅପମାନ ସଦୃଶ | ତାଙ୍କ ପୁଅ ଯିଏକି ପାଞ୍ଚ ବର୍ଷ ତଳେ ଫେବ୍ରୁଆରି ୨୦୧୭ରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହୋଇଯାଇଥିଲେ । ସହିଦ ହେବାର ଏକ ବର୍ଷ ପରେ ତାଙ୍କ ପୁଅକୁ ମରୋଣପରାନ୍ତ ଭାବେ 'ଶୌର୍ଯ୍ୟ ଚକ୍ର' ଦେବାକୁ ଘୋଷଣା କରାଯାଇଥିଲା | କିନ୍ତୁ ଏହି ପୁରସ୍କାରକୁ ଡାକ ମାଧ୍ୟମରେ ତାଙ୍କ ନିକଟକୁ କୋରିୟର କରାଯାଇଥିଲା |

Advertisment

ସହିଦ ଗୋପାଳଙ୍କ ବାପା ମୁନୀମ ସିଂ କହିଛନ୍ତି ଯେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରାଯିବାର ଉଚିତ ଥିଲା | ସେ କହିଛନ୍ତି ଯେ ଡାକ ମାଧ୍ୟମରେ କେହି ସେନା ପଦକ ପଠାଇ ପାରିବେ ନାହିଁ। ଏହା କେବଳ ପ୍ରୋଟୋକଲର ଉଲ୍ଲଂଘନ ନୁହେଁ, ବରଂ ଜଣେ ସହିଦ ଏବଂ ତାଙ୍କ ପରିବାର ପ୍ରତି ଅପମାନ ଭଳି ହୋଇଥାଏ | ତେଣୁ ମୁଁ ପାର୍ସଲକୁ ଗ୍ରହଣ କରି ନଥିଲି ଏବଂ ଏହାକୁ ଫେରାଇ ଦେଇଥିଲି | ସେ କହିଛନ୍ତି ଯେ ୨୬ ଜାନୁଆରି କିମ୍ବା ୧୫ ଅଗଷ୍ଟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ରାଷ୍ଟ୍ରପତି ଦେଇଥାନ୍ତି |

ଯଦି ରାଷ୍ଟ୍ରପତି ନଥାନ୍ତି, ତେବେ ପରିବାରକୁ ଏହି ପଦକ ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରଦାନ କରନ୍ତି, କିନ୍ତୁ ଏହାକୁ କୋରିୟର ମାଧ୍ୟମରେ ପଠାଯିବା ଉଚିତ ନୁହେଁ। ଉଲ୍ଲେଖ ଥାଉ କି ଯେତେବେଳେ ଲାନ୍ସ ନାୟକ ଗୋପାଳ ସିଂ ଭଦୌରିଆ ସହିଦ ହୋଇଥିଲେ ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା। ୨୦୧୮ରେ ତାଙ୍କୁ ମରୋଣପରାନ୍ତ ଭାବେ ଅଶୋକ ଚକ୍ର ଏବଂ କୀର୍ତ୍ତୀ ଚକ୍ର ପରେ ତୃତୀୟ ସର୍ବୋଚ୍ଚ ବୀରତା ପୁରସ୍କାର ଶୌର୍ଯ୍ୟ ଚକ୍ର ଦେବାକୁ ଘୋଷଣା କରାଯାଇଥିଲା |