ନୂଆଦିଲ୍ଲୀ : ଇଂରେଜମାନଙ୍କ ବିରୋଧରେ ସହିଦ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ୧୮୦୪ରେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହ ଥିଲା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ। ଯାହାକି ୧୮୨୫ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଗତକାଲି ସଂଧ୍ୟାରେ ସ୍ଥାନୀୟ ହଜଖାସ ଜଗନ୍ନାଥ ମନ୍ଦିରରେ ଆୟୋଜିତ ସହିଦ ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏହା କହିଛନ୍ତି।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିବାରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଓଡ଼ିଶାର ଏହି ଦାବିକୁ ହାସଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ତଥ୍ୟ ସହିତ ଚାପ ପକାଇବା ପାଇଁ ବକ୍ତାମାନେ ଆହ୍ବାନ ଦେଇଥିଲେ। ସହିଦ ଜୟୀରାଜଗୁରୁ ଟ୍ରଷ୍ଟର ସଦସ୍ୟ ତଥା ପଲ୍ଲୀବାଣୀ ମିସନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟ୍ରଷ୍ଟର ମୁଖ୍ୟ ପରିଚାଳକ ଶ୍ରୀଦେବ ନନ୍ଦ, କବି କୁଳମଣି ବିଶ୍ବାସ, ଓଡ଼ିଆ ଗବେଷଣା ପ୍ରତିଷ୍ଠାନର ସଦସ୍ୟ କବି ସୁବ୍ରତ କୁମାର ପୃଷ୍ଟି , ଜେପି ଟ୍ରଷ୍ଟର ଅଧ୍ୟକ୍ଷ ଅଭୟ ସିହ୍ନା, ଜୟୀରାଜଗୁରୁ ଟ୍ରଷ୍ଟର ସଦସ୍ୟ ନବଜ୍ୟୋତି ଦାସ ଏବଂ ଦେବଶ୍ରୀ ଦାସ ପ୍ରମୁଖ ସହିଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jay-rajguru-1.jpg)