ଶୋକାକୁଳ ଯବାନଙ୍କ ପରିବାରକୁ ଆଶ୍ବସ୍ତି : ‘ମୁଁ ବଞ୍ଚିଛି’ ବୋଲି ନିଜେ ଫୋନ୍‌ କରି କହିଲେ

ନୂଆଦିଲ୍ଲୀ : ବିହାରର ସାରନ ଜିଲ୍ଲା ଅନ୍ତର୍ଗତ ପର୍ସା ବ୍ଳକ୍‌ର ଦିଘ୍ରା ଗାଁରେ ଯବାନ ସୁନୀଲ କୁମାରଙ୍କ ମୃତ୍ୟୁରେ ପରିବାର ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଥିବା ବେଳେ ଗୁରୁବାର ସକାଳେ ସେ ବଞ୍ଚିଛନ୍ତି ବୋଲି ନିଜେ ସୁନୀଲ୍ ଫୋନ୍ କରି କହିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ପ୍ରଥମେ କେହି ବିଶ୍ବାସ କରିପାରୁନଥିବା ବେଳେ ତାହା ସୁନୀଲଙ୍କ କଣ୍ଠସ୍ବର ବୋଲି ତାଙ୍କ ପତ୍ନୀ ସ୍ପଷ୍ଟ କରିବା ପରେ ସମସ୍ତେ ଏବେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ସୋମବାର ରାତିରେ ଲଦାଖ ସୀମାରେ ଚୀନ୍ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନ୍‌ଙ୍କ ଭିତରେ ବିହାର ରେଜିମେଣ୍ଟ୍‌ର ସୁନୀଲ୍ କୁମାର ଥିଲେ ବୋଲି ବୁଧବାର ଅପରାହ୍ଣରେ ତାଙ୍କ ପରିବାର ଲୋକଙ୍କୁ ସେନା ପକ୍ଷରୁ ଫୋନ୍ କରି ଜଣାଇଦିଆଯାଇଥିଲା। ସମଗ୍ର ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିବା ସୁନୀଲ୍‌ଙ୍କ ଏପରି ଅବର୍ତ୍ତମାନରେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ସମସ୍ତେ ସୁନୀଲଙ୍କ ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ତେବେ ସମସ୍ତଙ୍କୁ ଚକିତ କରି ଅନ୍ୟ ଜଣେ ଯବାନଙ୍କ ମୃତ୍ୟୁ ଖବର ଭୁଲବଶତଃ ତାଙ୍କ ଘରକୁ ଦିଆଯାଇଛି ବୋଲି ସୁନୀଲଙ୍କ ଭାଇଙ୍କ ପାଖକୁ ହଠାତ୍ ପୁଣି ବିଭାଗୀୟ ଫୋନ୍ ଆସିଥିଲା। ଏହାକୁ କେହି କେହି ଅଲୌକିକ ଘଟଣା ବୋଲି ଭାବୁଥିବା ବେଳେ କେହି କେହି ମଧ୍ୟ ସନ୍ଦେହ କରିଥିଲେ। ତେବେ ପରେ ରାତିରେ ବିଭାଗ ପକ୍ଷରୁ କନ୍‌ଫରେନ୍ସିଂ ମାଧ୍ୟମରେ ସୁନୀଲ୍‌ଙ୍କ ସହ ପରିବାର ଲୋକଙ୍କର କଥାବାର୍ତ୍ତା ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର