ବାରାଣାସୀ : ମହାଦେବଙ୍କ ନଗରୀ ବାରାଣାସୀ ବା କାଶୀକୁ ସମଗ୍ର ସନାତନ ଧର୍ମର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଏ । କାଶୀରେ ରଙ୍ଗର ପର୍ବ ହୋଲି ଏକ ସ୍ବତନ୍ତ୍ର ପ୍ରକାରେ ଖେଳାଯାଏ । ହୋଲି ପୂର୍ବରୁ ଆସୁଥିବା ଏକାଦଶୀରେ କାଶୀରେ ଖେଳାଯାଏ ଶ୍ମଶାନ ହୋଲି । ସମଗ୍ର ଭାରତରେ ଏପରି ହୋଲି କେଉଁଠାରେ ଦେଖାଯାଏ ନାହିଁ । କାରଣ ମହାଦେବଙ୍କ ଏହି ସହରରେ ଭକ୍ତମାନେ କେବଳ ରଙ୍ଗ ଓ ଫଗୁ ନୁହେଁ ବରଂ ଚିତାଭସ୍ମ ସହିତ ହୋଲି ଖେଳନ୍ତି । ଗତ ଶୁକ୍ରବାରଦିନ କାଶୀର ହରିଶ୍ଚନ୍ଦ୍ର ଘାଟରେ ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ବନାରସର ହରିଶ୍ଚନ୍ଦ୍ର ଘାଟରେ ଆୟୋଜିତ ଏହି ଶ୍ମଶାନ ହୋଲିରେ ଦେଶର ବିଭିନ୍ନ ସ୍ଥାନରୁ ଅଘୋରୀମାନେ ଯୋଗଦେଇଥିଲେ । ଶ୍ମଶାନରେ ରହୁଥିବା ଅଘୋରୀମାନେ ଶ୍ମଶାନରେ ଜଳୁଥିବା ଚିତା ମଧ୍ୟରେ ହୋଲି ଖେଳିଥିଲେ। ସେମାନେ ନିଜ ଗଳାରେ ସାଂକେତିକଭାବେ ମାନବ ଖପୁରିର ମାଳା ପିନ୍ଧିଥିଲେ । ଏହି ସମୟରେ କିନ୍ନର, ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହି ଆଶ୍ଚର୍ଯ୍ୟଜନକ ହୋଲିକୁ ଦେଖିଥିଲେ।
ଏହି ହୋଲିର ଆୟୋଜକ ପୱନ ଚୌଧୁରୀ କହିଛନ୍ତି ଯେ ହୋଲିରେ ୮ କୁଇଣ୍ଟାଲରୁ ଅଧିକ ଭସ୍ମ, ୫୦ କିଲୋଗ୍ରାମ ଗୋଲାପ ଫୁଲ ଏବଂ ରଂଗରେ ଖେଳାଯାଇଥିଲା। ଶ୍ମଶାନରେ ଖେଳାଯାଉଥିବା ଏହି ହୋଲି ପୂର୍ବରୁ ଭଗବାନ ଶିବଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶିବଙ୍କ ୧୧ଟି ରୂପର ଶୋଭାଯାତ୍ରା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।