୨ ଜାହାଜରେ ଅଗ୍ନିକାଣ୍ଡ, ୧୪ ମୃତ 

ମୃତକଙ୍କ ମଧ୍ୟରେ ଭାରତୀୟ

ମସ୍କୋ : ରୁଷିଆ ଓ କ୍ରିମିଆକୁ ଅଲଗା କରୁଥିବା କେର୍ଚ ଷ୍ଟ୍ରେଟ୍‌ର ଗଭୀର ସମୁଦ୍ରରେ  ଦୁଇଟି ଜାହାଜରେ ନିଆଁ ଲାଗିଯିବା ଫଳ‌ରେ ଅନ୍ୟୁନ ୧୪ ଜଣ ନାବିକଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି। ଭାରତ, ତୁର୍କି ଏବଂ ଲିବିୟା ନାବିକଙ୍କୁ ଧରି ଯାତ୍ରା କରୁଥିବା ୨ଟି ଜାହାଜରେ ଗତକାଲି ଅଗ୍ନିକାଣ୍ଡ ହୋଇଥିଲା। ଗୋଟିଏ ଜାହାଜରେ ତରଳ ପ୍ରାକୃତିକ ଗ୍ୟାସ୍‌ ନିଆଯାଉଥିବାବେଳେ ଅନ୍ୟଟିରେ ତୈଳ ଟ୍ୟାଙ୍କର ଥିଲା। ତେବେ ଏହି ସମୟରେ ଗୋଟିଏ ଜାହାଜରୁ ଅନ୍ୟଟିକୁ ତୈଳ ବିନିମୟ ହେଉଥିବାବେଳେ ହଠାତ୍‌ ଜାହାଜରେ ନିଆଁ ଲାଗିଯାଇଥିଲା। ‘କ୍ୟାଣ୍ଡି’ ନାମକ ଜାହାଜରେ ୧୭ ଜଣ ନାବିକ ଥି‌ଲେ। ସେମାନଙ୍କ ମଧ୍ୟରେ ତୁର୍କିର ୯ ଜଣ ଥିବାବେଳେ ଭାରତର ୮ ଜଣ ନାଗରିକ ଥିଲେ। ସେହିପରି ଅନ୍ୟ ଏକ ଜାହାଜ ‘ମାଏଷ୍ଟ୍ରୋରେ’ ୧୫ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରେ ୭ ଜଣ ତୁର୍କୀର, ୭ ଜଣ ଭାରତର ଏବଂ ଲିବିୟାର ଜଣେ ନାବିକ ଥିଲେ। ‌ ତେବେ ମୃତକଙ୍କ ମଧ୍ୟରେ କେତେଜଣ ଭାରତୀୟ ନାଗରିକ ଅଛନ୍ତି ତାହା ଏଯାବତ୍‌ ଜଣାପଡ଼ିନି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ରୁଷ୍‌ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ଭାରତୀୟଙ୍କୁ ସହଯୋଗ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ରବୀଶ କୁମାର କହିଛନ୍ତି।  ରୁଷିଆର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଜାହାଜରେ ବିସ୍ଫୋରଣ ଘଟିବାରୁ ସଙ୍ଗେ ସଙ୍ଗେ ଦୁଇଟି ଜାହାଜରେ ନିଆଁ ଲାଗି ଯାଇଥିଲା। ତେବେ ଜଳୁଥିବା ଜାହାଜରୁ ପାଣିକୁ ଡେଇଁ ବହୁ ନାବିକ ସେମାନଙ୍କ ଜୀବନ ବଞ୍ଚାଇଥିବା ବେଳେ ୧୧ ଜଣ ନାବିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପାଗ ଖରାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋ‌ଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର