କୋଭିଡ–୧୯ ମହାମାରୀ ବିରୋଧରେ ଅଣ୍ଟା ଭିଡ଼ିଲା ଏନ୍‌ଆର୍‌ଏଲ୍‌ଏମ୍‌ : ୭୮ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କଲେ ୨ କୋଟି ମାସ୍କ

ନୂଆଦିଲ୍ଲୀ : ମହାମାରୀ କୋଭିଡ– ୧୯ ଏବେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭୂତପୂର୍ବ ଜରୁରି ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହା ବିରୋଧରେ ସଫଳ ସଂଗ୍ରାମ ସକାଶେ ମେଡ଼ିକାଲ ତଥା ପୁଲିସ କର୍ମୀ, ସଫେଇ କର୍ମଚାରୀ ଆଦିଙ୍କ ପାଇଁ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଏବଂ ମୁହଁଘୋଡ଼ା ଉପକରଣର ଅଧିକ ଆବଶ୍ୟକତା ଭଳି ପରିସ୍ଥିତି ସୃଷ୍ଟି କରିଛି। ଦେଶର ଅଧିକାଂଶ କ୍ଷେତ୍ରରେ ଏବେ ଜନସାଧାରଣ ମୁହଁରେ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ବିଭାଗ ଅଧୀନସ୍ଥ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା– ଜାତୀୟ ଗ୍ରାମୀଣ ଜୀବନଜୀବିକା ମିଶନ (ଡିଏୱାଇ–ଏନଆରଏଲଏମ) ଅଧୀନରେ ଏବେ ସାରା ଦେଶରେ ପ୍ରାୟ ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଅଛନ୍ତି ଏବଂ ସେହିସବୁ ଏସଏଚଜିରେ ପ୍ରାୟ ୬୯୦ ଲକ୍ଷ ମହିଳା ସଦସ୍ୟ ରହିଛନ୍ତି। ଏବେ ସେହିସବୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୋଭିଡ–୧୯ ସଂକ୍ରମଣକୁ ରୋକିବା ସକାଶେ ସୈନିକର ଭୂମିକା ଗ୍ରହଣ କରିଛନ୍ତି। କୋଭିଡ–୧୯ ବିରୋଧରେ ସଂଗ୍ରାମ ନିମନ୍ତେ ମୁହଁରେ ମାସ୍କ ବାନ୍ଧିବା ହେଉଛି ପ୍ରଥମ ଆବଶ୍ୟକତା। ତେଣୁ ଏସଏଚଜିର ସଦସ୍ୟମାନେ ତୁରନ୍ତ ବିଭିନ୍ନ ପ୍ରକାର ମୁହଁବନ୍ଧା ମାସ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାର ମାସ୍କ ଯଥା, ୨–୩ ପ୍ଲାଏ ବୁଣା ଏବଂ ଅଣ–ବୁଣା ସର୍ଜିକାଲ ମାସ୍କ, କପଡ଼ା ମାସ୍କ ଇତ୍ୟାଦି ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ।

ତଥ୍ୟ ଅନୁସାରେ, ୨୭ଟି ରାଜ୍ୟ ଗ୍ରାମୀଣ ଜୀବନଜୀବିକା ମିଶନ (ଏସଆରଏଲଏମ)ଙ୍କ ଦ୍ୱାରା ୧.୯୬ କୋଟି ମାସ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା (୮ ଅପ୍ରେଲ, ୨୦୨୦ ସୁଦ୍ଧା) ପ୍ରସ୍ତୁତ କରାଯାଇଛି। ମାସ୍କ ପ୍ରସ୍ତୁତି କାର୍ଯ୍ୟରେ ପ୍ରାୟ ୭୮,୩୭୩ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବେ ନିୟୋଜିତ ଅଛନ୍ତି। ସେହିଭଳି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯଥା, ଆପ୍ରନ୍‌, ଗାଉନ୍‌, ମୁହଁବନ୍ଧା ସିଲ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଡ଼ିଏୱାଇ– ଏନଆରଏଲଏମ ସହଯୋଗରେ ଗଠିତ ଅଣୁ ଉଦ୍ୟୋଗୀମାନେ ହ୍ୟାଣ୍ଡ ସାନିଟାଇଜର ଓ ଅନ୍ୟାନ୍ୟ ହାତଧୁଆ ଉପକରଣ ଉତ୍ପାଦନ କରିବା କାର୍ଯ୍ୟ ହାତକୁ ନେଇଛନ୍ତି ଓ ସେସବୁକୁ ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବା କାର୍ଯ୍ୟକୁ ସୁନିଶ୍ଚିତ କରିପାରିଛନ୍ତି। ୯ଟି ରାଜ୍ୟର ୯୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଏବେସୁଦ୍ଧା ୧.୧୫ ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରିଛନ୍ତି।

ସମ୍ବନ୍ଧିତ ଖବର