ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : ଏଣିକି ବିମାନ ଭିତରେ ବସିଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ । ଏ ସଂପର୍କରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରା​ଳୟ ପକ୍ଷରୁ ବୁଧବାରଦିନ ଘୋଷଣା କରାଯାଇଛି ।

ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ବିମାନ ଭିତରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି କଟକଣା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ରହିଥିଲା ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲେ ବି ଯାତ୍ରୀମାନେ ଏହାକୁ ନିଜର ଇଚ୍ଛା ଅନୁସାରେ  ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପିନ୍ଧିପାରିବେ ।

ମନ୍ତ୍ରାଳୟର ନିର୍ଦ୍ଦେଶ ଜାରି ହେବା ପରେ ଏଣିକି ବିମାନ ଭିତରେ କୁହାଯିବ ଯେ, କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଯାତ୍ରୀମାନେ ମାସ୍କ ପିନ୍ଧିବା ଭଲ । ତେବେ ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ନାହିଁ ।

ସୂଚନାଯୋଗ୍ଯ ଯେ ୨୦୨୦ ମସିହାରେ ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ବିମାନ ସେବା କିଛି ମାସ ପାଇଁ ବନ୍ଦ କରିବା ସହ ଆହୁରି କେତେକ କଟକଣା ଲାଗୁ କରିଥିଲେ । ଏପରିକି ଯେଉଁମାନେ ଏୟାରପୋର୍ଟ ଓ ବିମାନ ଭିତରେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ‘ନୋ ଫ୍ଲାଇ’ ତାଲିକାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପରେ ପର୍ଯ୍ୟାୟକ୍ରମେ ବିମାନ ଚଳାଚଳ ଆରମ୍ଭ ହୋଇଥିଲେ ବି ମାସ୍କ ପିନ୍ଧିବା କଟକଣା ଏପର୍ଯ୍ୟନ୍ତ ଲାଗୁ ରହିଥିଲା । କିନ୍ତୁ ଏବେ ଦେଶରେ କରୋନା ସ୍ଥିତିରେ ଉନ୍ନତି ଆସିବା ପରେ ସରକାର ଏହି କଟକଣା ଉଠାଇନେଇଛନ୍ତି ।

 

ସମ୍ବନ୍ଧିତ ଖବର