ମାସ୍କ ପିନ୍ଧୁନଥିବା ଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର: ଡିଜିସିଏ

ନୂଆଦିଲ୍ଲୀ: ଏୟାରଲାଇନକୁ ବଡ଼ ନିର୍ଦ୍ଦେଶ ଦେଲା ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟ(ଡିଜିସିଏ)। କରୋନା ସଂକ୍ରମଣ ବଢ଼ୁଥିବା ଦେଖି  ମାସ୍କ ନ ପିନ୍ଧୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ଡିଜିସିଏ। କରୋନା ଭୂତାଣୁ ସଂକ୍ରମଣ ବଢ଼ିବା ପରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ବିମାନବନ୍ଦରରେ ହଠାତ୍ ଯାଞ୍ଚ କରାଯିବା ସହ  ନିୟମ ପାଳନ ନ କରୁଥିବା ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଡିଜିସିଏ। ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଯେମିତି ଜଣେ ଯାତ୍ରୀ ସଠିକ ଭାବେ ମାସ୍କ ପିନ୍ଧିବେ, ତାହା ସୁନିଶ୍ଚିତ କରିବାକୁ ଏୟାରଲାଇନକୁ କୁହାଯାଇଛି।

ଅନ୍ୟପକ୍ଷରେ, ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରତିଦିନ ୮ ରୁ ୧୦ କରୋନା ରୋଗୀ ମୃତ୍ୟୁବରଣ କରୁଛନ୍ତି। ଏଥି ସହିତ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଟ୍ୱିଟ୍ କରି ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛି। କରୋନା ସଂକ୍ରମଣରେ ବୃଦ୍ଧି ହେଉଛି ଏବଂ ଲୋକମାନେ ପୁନର୍ବାର ସଂକ୍ରମିତ ହେଉଛନ୍ତି। ଆମେ ବୁଝିବା ଦରକାର ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଲୋକମାନେ କରୋନା ନିୟମକୁ କଡାକଡି ଭାବରେ ପାଳନ କରନ୍ତୁ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ସୁନୀଲା ଗର୍ଗ କହିଛନ୍ତି ଯେ, କରୋନାରୁ ଆରୋଗ୍ୟ ହାର ବଢିଛି, କିନ୍ତୁ ମାମଲା ବଢ଼ିବାରେ ମଧ୍ୟ ଲାଗିଛି ଏବଂ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ୯ ହଜାରରୁ ଅଧିକ କରୋନା ରୋଗୀ ହସ୍ପିଟାଲରେ ଅଛନ୍ତି । ବର୍ତ୍ତମାନ ୨ ହଜାର ୧୨୯ ଆଇସିୟୁ ବେଡ଼ ମଧ୍ୟରୁ ୨୦ ଜଣ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ୬୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଏଥି ସହ ସେ କହିଛନ୍ତି ଯେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ନିହାତି ଆବଶ୍ୟକ।

ସମ୍ବନ୍ଧିତ ଖବର