ମାସୁଦ ଆଝାର୍‌ ମାମଲା, ସମାଧାନ ବାଟ ଫିଟୁଛି: ଚୀନ

ବେଜିଂ: ଆମେରିକା, ଇଂଲଣ୍ଡ ଏବଂ ଫ୍ରାନ୍ସ ତରଫରୁ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର୍‌କୁ ବିଶ୍ୱ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ଚୀନକୁ ଏପ୍ରିଲ ୨୩ର ସମୟସୀମା ଦିଆଯାଇଥିବା ପ୍ରକାଶ ପାଇଥିଲା। ଏହାକୁ ଚୀନ ଖଣ୍ଡନ କରିଛି। ତେବେ ଏହି ମାମଲା ସମାଧାନ ଆଡକୁ ଗତି କରୁଛି ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁଲୱାମା ଆକ୍ରମଣ ପରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା, ଇଂଲଣ୍ଡ ଏବଂ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କଟକଣା କମିଟିରେ ପୁଣି ଥରେ ପ୍ରସ୍ତାବ ରଖିଥିଲେ। ତେବେ ଏହି ପ୍ରସ୍ତାବ ଉପରେ ଚୀନ ‘ଟେକ୍ନିକାଲ ହୋଲଡ଼୍‌’ ଦ୍ୱାରା ରୋକ ଲଗାଇଥିଲା। ଫଳରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସମର୍ଥନରେ ଆମେରିକା ସିଧା ଜାତିସଂଘ ସୁରକ୍ଷା ପରିଷଦକୁ ଯାଇଥିଲା। ଚୀନ ନିଜ ଭିଟୋ କ୍ଷମତା ବ୍ୟବହାର କରି ଏହାକୁ ମଧ୍ୟ ବିରୋଧ କରି ପୁଣି ରୋକ ଲଗାଇଥିଲା।

ସମ୍ବନ୍ଧିତ ଖବର