ଇସଲାମାବାଦ୍: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂସ୍ଥାପକ ମୌଲାନା ମସୁଦ ଅଝାରର କିଡନୀ ଖରାପ ହୋଇଥିବାର ଖବର ଆସିଛି । କୁହାଯାଉଛି କି, ପାକିସ୍ତାନ ରାୱଲପିଣ୍ଡିସ୍ଥିତ ଆର୍ମି ହସପିଟାଲରେ ତାର ନିୟମିତ ଡାଇଲିସିସ୍ କରାଯାଉଛି । ପାକ୍ ସୁରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି କହିଥିଲେ କି, ଜୈଶ ମୁଖ୍ୟ ଅସୁସ୍ଥ ଓ ଘରୁ ବାହାରିବା ସ୍ଥିତିରେ ନାହାନ୍ତି।
ଏ ସଂପର୍କରେ ପାକିସ୍ତାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କି, ନିକଟରେ ମିିଳିଥିବା ଖବରରୁ ଜଣାପଡୁଛି କି, ଅଝାରର କିଡନୀ କାମ କରିବା ବନ୍ଦ ହୋଇଯାଇଛି ଏବଂ ତାହାର ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡିର ଏକ ସାମରିକ ହସପିଟାଲରେ ଚିକିତ୍ସା ଚାଲୁଛି ।
ଅଝାର ପାକିସ୍ତାନରେ ଥିବା କଥା ସ୍ଫଷ୍ଟ କରି କ୍ୟୁରେସି କହିଥିଲେ କି, “ମତେ ମିିଳିଥିବା ସୂଚନା ଅନୁଯାୟୀ, ସେ ପାକିସ୍ତାନରେ ହିଁ ଅଛି । ସେ ଏତେ ଅସୁସ୍ଥ ଯେ ଘରୁ ବାହାରିବା ସ୍ଥିତିରେ ନାହିଁ । ସେ ବହୁତ ଅସୁସ୍ଥ ।”