ପାକିସ୍ତାନର ଦାବି: ପରିବାର ସହ ମାସୁଦ ଆଝାର ନିଖୋଜ ଅଛି

ଲାହୋର : ଜାତିସଂଘ ଦ୍ବାରା ଘୋଷିତ ବିଶ୍ବ ଆତଙ୍କବାଦୀ ମାସୁଦ ଆଝା‌ର ନିଜ ପରିବାର ସହ ନିଖୋଜ ହୋଇଯାଇଛି ବୋଲି ପାକିସ୍ତାନ ଦାବି କରିଛି। ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଆଝାର ଦୀର୍ଘଦିନ ଧରି ନିଖୋଜ ଅଛି ବୋଲି ପାକିସ୍ତାନ ଆଜି ଫ‌ାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)କୁ କହିଛି। ସୂଚନାଯୋଗ୍ୟ, ୨୦୧୯ରେ ଜାତିସଂଘ ଆଝାରକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା। ପାକିସ୍ତାନ ଏଫ୍‌ଏଟିଏଫ୍‌କୁ କହିଛି, ବର୍ତ୍ତମାନ ପାକିସ୍ତାନରେ ୧୬ ଜଣ ବିଶ୍ବ ଆତଙ୍କବାଦୀ ଅଛନ୍ତି ବୋଲି ଆକଳନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଯେଉଁ ୯ ଜଣ ଆତଙ୍କବାଦୀ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣ ଆତଙ୍କବାଦୀ ସେମାନଙ୍କ ବିରୋଧରେ ଲାଗୁ ହୋଇଥିବା ଆର୍ଥିକ ଓ ଯାତ୍ରା କଟକଣା ହଟାଇବାକୁ ‌ଜାତିସଂଘ ନିକଟରେ ଆବେଦନ କରିଛନ୍ତି। ଆର୍ଥିକ ଓ ଯାତ୍ରା କଟକଣା ଲାଗିଥିବାରୁ ସେମାନେ ପାକିସ୍ତାନରୁ ଅନ୍ୟ କେଉଁ ସ୍ଥାନକୁ ଯାଇ ପାରୁନାହାନ୍ତି। ତେବେ ପାକିସ୍ତାନର ଏଭଳି ସଫେଇ ଉପରେ ଏଫ୍‌ଏଟିଏଫ୍‌ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର