ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାର ଆଫଗାନିସ୍ତାନରେ ଅଛି : ପାକ୍ ବୈଦେଶିକ ମନ୍ତ୍ରୀ ଜର୍ଦ୍ଦାରୀ

ଇସଲାମାବାଦ୍: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଝାର ଆଫଗାନିସ୍ତାନରେ ଅଛି ବୋଲି ପାକିସ୍ତାନ ‌ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି। ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଆଝାରର ଉପସ୍ଥିତିକୁ ଅସ୍ୱୀକାର କରିବାର ଦୁଇ ଦିନ ପରେ ପାକିସ୍ତାନ ପକ୍ଷରୁ ଏହି ବିବୃତି ଆସିଛି। ପାକ୍ ବୈଦେଶିକ ମନ୍ତ୍ରୀ ଅଝାର ପାକିସ୍ତାନରେ ନଥିବା ସଫେଇ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ସହ କଥାବାର୍ତ୍ତା ବେଳେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ଯେ ଅଝାର କେବଳ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ପ୍ରସଙ୍ଗ ହୋଇ ରହିନାହିଁ। ସେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରସଙ୍ଗ ପାଲଟିଛି।

ବୁଧବାର ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ତାଙ୍କ ଦେଶରେ ମାସୁଦ ଅଝାରଙ୍କ ଉପସ୍ଥିତି ସମ୍ପର୍କରେ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ପାକିସ୍ତାନର ମାଟିରେ ସରକାରୀ ପୃଷ୍ଠପୋଷକତାରେ କାର୍ଯ୍ୟ କରିପାରିବେ, କିନ୍ତୁ ଏଠାରେ ନୁହେଁ।

୨୦୧୯ ଫେବ୍ରୁଆରି ୧୪ରେ ଜମ୍ମୁକଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ଜେଏମର ମାଷ୍ଟର ମାଇଣ୍ଡ ମାସୁଦ୍ ଅଝାର ଏହାର ସୂତ୍ରଧର ବୋଲି ପ୍ରମାଣ ମିଳିଥିଲା । ଏହାପରେ ଫେବ୍ରୁଆରି ୨୪ରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ କରି ଜେଏମର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିରକୁ ଉଡାଇ ଦେଇଥିଲା। ଏହାପରେ ଭାରତ ପକ୍ଷରୁ ଜୈଶ୍-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଅଝାର ପାକିସ୍ତାନରେ ଲୁଚିଛି ଓ ତାକୁ ଧରିବା ଲାଗି ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ ପକାଇଥିଲା ଭାରତ।

ଏକଦା ଭାରତୀୟ ଜେଲରେ ବନ୍ଦୀ ଥିଲା ଅଝାର । କିନ୍ତୁ ଡିସେମ୍ବର ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ ପରେ ଯାତ୍ରୀମାନଙ୍କୁ ମୁକ୍ତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ‘ବାଧ୍ୟବାଧକତା’ରେ ପଡ଼ି ତାକୁ ମୁକ୍ତ କରିଥିଲେ ।୧୯୯୯ ମସିହାରେ ହୋଇଥିବା ବିମାନ ଅପହରଣ ଘଟଣା ପରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ମୁକ୍ତ କରିବା ଭାରତ ପାଇଁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଥଲା । ବିମାନଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖି ଭାରତୀୟ ଜେଲରୁ ଖଲାସ୍ ହୋଇଥିବା ମାସୁଦ ଆଝାର, ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାରେ ସଫଳ ହୋଇଥଲା । ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ଉପରେ ଆକ୍ରମଣ, ଉରୀ ଆତଙ୍କବାଦୀ ଆକ୍ରମଣ, ପଠନାକୋଟ୍ ଆକ୍ରମଣ ପରେ ପୁଲୱାମାରେ ସବଠୁ ବଡ ଆତଙ୍କବାଦୀ ଆକ୍ରମଣ କରିଛି ମାସୁଦ ଆଝାରଙ୍କ ସଂଗଠନ- ଜୈଶ୍-ଇ-ମହମ୍ମଦ ।

ସମ୍ବନ୍ଧିତ ଖବର