ମସୁଦ୍‌ ଆଝାର ଜେଲ୍‌ରେ ନାହିଁ, କଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ମୁକ୍ତ କରିଛି ପାକିସ୍ତାନ

ନୂଆଦିଲ୍ଲୀ : ‌ଜେଇଏମ୍‌ (ଜୈଶ୍‌ ଏ ମହମ୍ମଦ) ମୁଖ୍ୟ ମସୁଦ୍‌ ଆଝାର ପାକିସ୍ତାନ ଜେଲ୍‌ରେ ନାହିଁ। କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାପାଇଁ ପାକିସ୍ତାନ ମସୁଦ୍‌କୁ ଗୁପ୍ତ ଭାବେ ଜେଲ୍‌ରୁ ମୁକ୍ତ କରିଛି। ମସୁଦ୍‌ ଏବେ ଭାରତରେ ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି ବୋଲି ଭାରତୀୟ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ‌ଯାହା କହୁଛି ତାହା ସମ୍ପୂର୍ଣ୍ଣ ଭାବେ ମିଛ। ଜେଇଏମ୍‌ ମୁଖ୍ୟ ମସୁଦ୍‌ର ସ୍ବାସ୍ଥ୍ୟାବସ୍ଥା‌ରେ ଏବେ ସୁଧାର ଆସିଛି। ସେ ଖୋଲାଖୋଲି ଭାବେ ନିଜ କାର୍ଯ୍ୟ ବଜାୟ ରଖିନଥିଲେ ମଧ୍ୟ ଜେଇଏମ୍‌ ମୁଖ୍ୟାଳୟରେ ରହି ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼୍‌ଯନ୍ତ୍ର କରୁଛି। ପାକିସ୍ତାନ ଏବେ ଜମ୍ମୁ କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ପ୍ରମୁଖ ଲକ୍ଷ୍ୟ ରଖିଛି ଏବଂ ଏହି କାର୍ଯ୍ୟ ପାଇଁ ମସୁଦ୍‌ ନେତୃତ୍ବ ନେଇଛି। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ କଶ୍ମୀରରେ ଲୋକମାନେ ଯେମିତି ବ୍ୟାପକ ଆନ୍ଦୋଳନ କରନ୍ତୁ ସେନେଇ ପାକିସ୍ତାନ ପ୍ରୟାସ ଜାରି ରଖିଛି।

ପାକିସ୍ତାନ ପୁଲୱାମା ପରି ଆକ୍ରମଣ ଯୋଜନା କରୁଛି। ଏଲ୍‌ଓସି ନିକଟରେ ଅଧିକ ସୈନ୍ୟ ମୁତୟନ କରିଛି ଏବଂ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାପାଇଁ ଉଦ୍ୟମ ଜାରି ରଖିଛି। ଜମ୍ମୁ କଶ୍ମୀର ଅନୁପ୍ରବେଶ ଅପେକ୍ଷାରେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ପିଓକେର ରାୱଲକୋଟ୍‌ ରଖ ଚକ୍ରି ସେକ୍ଟରରେ ରଖାଯାଇଛି। ଅନ୍ୟପ‌‌କ୍ଷେ ପାକ୍‌ ଆଇଏସ୍‌ଆଇ ମଧ୍ୟ ଜମ୍ମୁ କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଚେଷ୍ଟା କରୁଛି। ଖାଇବର ପଖତୁଙ୍ଖୱା ପ୍ରଦେଶର ୱାଜିରିସ୍ତାନ ଅଞ୍ଚଳରେ ଆଇଏସ୍ଆଇ ୧୦,୦୦୦ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବାପାଇଁ ଯୋଜନା ପ୍ରସ୍ତୁତ କରୁଛି। ଜଣାଯାଇଛି ଯେ ନବନିଯୁକ୍ତ ଆତଙ୍କବାଦୀଙ୍କୁ ତାଲିମ ଦେବାପାଇଁ ଆଇଏସ୍‌ଆଇ ଦ୍ବାରା ନୂଆ ତାଲିମ ଶିବିର ପ୍ରତିଷ୍ଠା ହୋଇଛି।

ସମ୍ବନ୍ଧିତ ଖବର