ତିରୁବନନ୍ତପୁରମ୍: ବନ୍ୟା ବିଧ୍ୱଂସ୍ତ ଉତ୍ତର କେରଳ ଜିଲ୍ଲା ଓ୍ଵାୟାନାଡ଼ର ଚାଷୀମାନେ ଦେଖୁଛନ୍ତି ଗୋଟାଏ ବିଚିତ୍ର କଥା- ଜୈବ ବିବିଧତା ଏବଂ ମସଲା ଚାଷ ନିମନ୍ତେ ସୁପରିଚିତ ଏ ପାହାଡ଼ିଆ ଜିଲ୍ଲାର ବହୁ ଭାଗରେ ମାଳ ମାଳ ଜିଆ ମରି ଯାଉଛନ୍ତି। ସବୁ ଦିନ ମାଟି ଭିତରୁ ହଜାର ହଜାର ଜିଆ ବାହାରି ମରି ଯାଉଛନ୍ତି ବୋଲି ଚାଷୀ ଓ ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାସ୍ଥଳ ପରିଦର୍ଶନ କରିଥିବା ପରିବେଶୀୟ ବୈଜ୍ଞାନିକମାନଙ୍କ ମତରେ ମାଟିରେ ମାତ୍ରାଧିକ ଉତ୍ତାପ ଯୋଗୁଁ ଏ ଭଳି ଘଟୁଛି। ବଢ଼ିପାଣିର ଖର ସୁଅରେ ଉପର ମାଟି ଧୋଇ ଯାଇ ପଡ଼ିଥିବା ନୂଆ ମାଟି ଛିଦ୍ରାଳ ପରି କାମ କରୁନାହିଁ କି, ଯଥେଷ୍ଟ ପାଣି ଓ ଆର୍ଦ୍ରତା ଶୋଷି ପାରୁନାହିଁ ବୋଲି ଚାଷୀମାନେ କହୁଛନ୍ତି।
କାଲପେଟ୍ଟାର କଫିଚାଷୀ ଜନ୍ ଟୋମାସ୍ କହନ୍ତି: ବର୍ଷା ଛାଡ଼ି ଖରା ପଡ଼ିଲାରୁ ଓଦାମାଟି ଖୁବ୍ ଶୀଘ୍ର ଶୁଖିଯିବାରୁ ଭୂଇଁ ଫାଟିଗଲା। ଅନୁସନ୍ଧାନ କଲେ ଏହାର ସବିଶେଷ ତଥ୍ୟ ଜାଣିହେବ।
ଆମ୍ବାଲାବୟାଲସ୍ଥିତ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ସହକାରୀ ନିର୍ଦେଶକ ପି ରାଜେନ୍ଦ୍ରନ୍ କହନ୍ତି: ଆମେ କେବଳ ମାଟିକୁ ଦୋଷ ଦେଇ ପାରିବା ନାହିଁ। ଓ୍ଵାୟାନାଡ଼ ଡେକାନ୍ ପେଟ୍ୟୁର ଅଂଶ ବିଶେଷ ହୋଇଥିବାରୁ ସେଠାରେ ମାଟି ଖୁବ୍ ସ୍ପର୍ଶକାତର ଏବଂ ମାଟିର ଢାଞ୍ଚାରେ ଆଶାତୀତ ପରିବର୍ତ୍ତନ ଘଟେ। ବନ ମଧ୍ୟସ୍ଥ ପଡ଼ିଆ ସରିଯିବା, ବଡ଼ ବଡ଼ କଂକ୍ରିଟ୍ ନିର୍ମାଣ ଏବଂ ବେଧଡ଼କ ପଥର ଖାଦାନ ଖନନ ଆଦି କାମ ଓ୍ଵାୟାନାଡ଼ର ଭଙ୍ଗୁର ଜୈବିକସ୍ଥିତିକୁ ନଷ୍ଟ କରିଛି।
ଯଦି ଏ ଭଳି ପରିସ୍ଥିତି ଲାଗି ରହେ, ଏହା ମାଟିରେ ଥିବା ଅଣୁଜୀବଙ୍କୁ ପ୍ରଭାବିତ କରିବ ଏବଂ ଧାନ ଏବଂ ଗୋଲମରିଚ ଆଦିର ଚେର ଦୁର୍ବଳ ହୋଇ ଯିବ।
ଗତମାସରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ହୋଇଥିବା ଜୈବବିବିଧତା କ୍ଷତିର ସମୀକ୍ଷା କରିବାକୁ କେରଳ ସରକାର ଶୁକ୍ରବାର ଦିନ ସ୍ଥିର କରିଛନ୍ତି।