ପୁଲିସ ହିଂସା ବିରୋଧରେ ଭେନେଜୁଏଲାରେ ଜନ ଅସନ୍ତୋଷ

କାରାକାସ : ଭେନେଜୁଏଲାର ରାଜଧାନୀ କାରକାସ ନିକଟବର୍ତ୍ତୀ ଇଲାକାରେ ୟାଦିମାର ସେରା ନାମ୍ନୀ ୧୧ ବର୍ଷୀୟା ବାଳିକାକୁ ପୁଲିସ ଘରେ ଶୋଇଥିବା ଅବସ୍ଥାରେ ଗୁଳି କରି ହତ୍ୟା କରିଥିବା ଝିଅର ଜେଜେମାଆ ମାରିଆ ୟୁଜେନିଆ ସେଗୋଭିଆ ଅଭିଯୋଗ କରିଛନ୍ତି।

ସମ୍ପୃକ୍ତ ପୁଲିସ ଅଧିକାରୀ ଯେତେବେଳେ ସଫେଇ ଦେଲେ ଯେ ସେ ଏକ ସନ୍ଦିଗ୍ଧ ଛାଇକୁ ଗୁଳି ମାରିଥିଲେ ସେତେବେଳେ ୫୪ ବର୍ଷୀୟା ସେଗୋଭିଆ ଦୃଢ଼ତାର ସହ କହିଥିଲେ- ନା, ନଭେମ୍ବର ୧୩ରେ ସିଧା ମୋ ନାତୁଣୀ ଉପରକୁ ହିଁ ତୁମେ ଗୁଳି କରିଥିଲ। ୟାଦିମାର ଶୋଇଥିବା ବେଳେ ସେଦିନ ଏକ ଗୁଳି ଝରକା କାଚ ଭେଦ କରି ତା’ ମୁଣ୍ଡର ପଛପଟେ ବାଜିଥିଲା ଓ ସେଥିରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା।

କିନ୍ତୁ ପୁଲିସର ଏଭଳି ଅପରାଧକୁ ସେ ଦେଶର ନ୍ୟାୟପାଳିକା ତଥା ସରକାର ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଭେନେଜୁଏଲାରେ ଉତ୍ତେଜନା ଦେଖିବାକୁ ମିଳୁଛି। ଅପରାଧ ନିୟନ୍ତ୍ରଣ ନାଁରେ ପୁଲିସ ନିରୀହ ଜନତାଙ୍କୁ ହତ୍ୟା କରୁଛି ଓ ପୁଲିସ ବିରୋଧରେ କୌଣସି କେସ୍ ହେଉନାହିଁ। ତେଣୁ ଏଭଳି ହତ୍ୟାକାଣ୍ଡକୁ ସରକାରୀ ପ୍ରାୟୋଜିତ ବୋଲି ଅଭିଯୋଗ କରାଯାଉଛି। ୟାଦିମାର ହତ୍ୟା ମାମଲାରେ ୫ ଜଣ ଲୋକଙ୍କୁ ଗିରଫ କରାଯାଇଛି କିନ୍ତୁ ସେମାନେ ପୁଲିସ ଅଫିସର କି ନା ସେ ବିଷୟରେ କିଛି ସ୍ପଷ୍ଟୀକରଣ ନାହିଁ।

ମାନବାଧିକାର ଗୋଷ୍ଠୀଙ୍କ କହିବା ଅନୁଯାୟୀ ଅପରାଧ ନିୟନ୍ତ୍ରଣ ନାଁରେ ୨୦୨୦ ଓ ୨୦୨୧ରେ ପ୍ରାୟ ୪୦୦୦ ଲୋକଙ୍କୁ ହତ୍ୟା କରାଯାଇଛି। ସେ ଦେଶରେ ୯୮ ପ୍ରତିଶତ ମାନବାଧିକାର ଉଲ୍ଲଂଘନ ହେଉଛି, ଯାହାର ତଦନ୍ତ ହେଉନାହିଁ ବୋଲି କୋଫାଭିକ ନାମକ ଏନ୍‌ଜିଓ ପ୍ରକାଶ କରିଛି। ଏହା ସରକାରୀ ପ୍ରାୟୋଜିତ ହିଂସା ବୋଲି ଅଭିଯୋଗ ଉଠୁଛି। ଭେନେଜୁଏଲାରେ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର