ନୂଆଦିଲ୍ଲୀ: ୨୦୧୯ ଲୋକସଭା ର୍ନିବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ଜିଦରେ ଅଟଳ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ। ବରିଷ୍ଠ ନେତାଙ୍କ ଅନୁରୋଧ ବି ରାହୁଲଙ୍କ କାନକୁ ଯାଉନି। ପରାଜୟ ପାଇଁ ନିଜକୁ ଦାୟୀ କରି ପଦ ଛାଡ଼ିବା ପାଇଁ ଜିଦ୍ ଧରି ବସିଛନ୍ତି। ମଜଭୁତ ନେତୃତ୍ୱ ଚାହୁଁଥିବା ଦଳ ଏବେ ମୁରବୀ ଶୂନ୍ୟ ହେବା ଉପରେ। ୨୦୧୯ କଂଗ୍ରେସ ପାଇଁ ଅଭିଶପ୍ତ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ଦଶନ୍ଧି ଧରି ଦେଶରେ ରାଜ୍ କରୁଥିବା ଅତି ପୁରୁଣା ଦଳର ଏବେ ସତ୍ତା ନାହିଁ। ଲୋକସଭା ର୍ନିବାଚନରେ କଂଗ୍ରେସର ନୈରାଶ୍ୟଜନକ ପରାଜୟ ପରେ ଦଳ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ବଡ଼ବାବୁ ଅଡ଼ି ବସିଛନ୍ତି, ଆଉ ଅନ୍ୟପଟେ ନେତାମାନେ ପଦ ଓ ଦଳ ଛାଡ଼ିବା ଆରମ୍ଭ କରିଦେଲେଣି।
କଂଗ୍ରେସ ପାଇଁ ଅଶୁଭ ବର୍ଷ, ଅଶୁଭ ସମୟ ଆସିଛି କହିଲେ ଅତ୍ୟୁକ୍ତ ହେବ ନାହିଁ। ବହୁ ସଂଖ୍ୟାରେ କଂଗ୍ରେସ ନେତା ନିଜ ପଦରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି। କଂଗ୍ରେସରେ ଏବେ ଚାଲିଛି ଇସ୍ତଫା ପର୍ବ। ଦିଲ୍ଲୀ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ଲିଲୋଠିଆ, ଅନୀଲ ଚୌଧୁରୀ, ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଚୌହାନ୍, ତେଲଙ୍ଗାନା ପ୍ରଭାରୀ ପୁନମ ପ୍ରଭାକର, ବିହାର ପ୍ରଭାରୀ ବୀରେନ୍ଦ୍ର ରାଥୋଡ଼, ଯୁବ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀନିବାସ, ମଧ୍ୟପ୍ରଦେଶ ପ୍ରଭାରି ଦୀପ ବାବାରିଆ ଓ ଗୋଆ ପ୍ରଭାରୀ ଗିରିଶ ଚୌଧକରଣ ନିଜ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ସଂଗଠନର ସଚିବଙ୍କ ସହ ଏହି ନେତାମାନେ ଆଲୋଚନା କରିବେ।
ଅନ୍ୟପଟେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଯାଇଛି। ନେତୃତ୍ୱ ଅଭାବରେ ସମସ୍ୟା ସମାଧାନ ବଦଳରେ ଦଳ ପାଇଁ ବିପଦ ଘନେଇ ଆସୁଛି। ମହିଳା କଂଗ୍ରେସ ମହାସଚିବ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୀତି ଦକ୍ଷତା ନଥିବା ଲୋକଙ୍କୁ ଆଗକୁ ବଢ଼ୁଥିବାର ସୁଯୋଗ ମିଳୁଛି। କିନ୍ତୁ ଅଭିଜ୍ଞ ବ୍ୟକ୍ତିମାନେ ପଛରେ ରହିଯାଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଭବିଷ୍ୟତ ରଣନୀତି ପାଇଁ ପଦରୁ ଇସ୍ତଫା ଦେଇଥିବା ନେତାମାନେ ଗତାକାଲି ରାତିରେ ମାରାଥନ ବୈଠକ କରିଛନ୍ତି। ଜାତୀୟ କଂଗ୍ରେସରେ ଏବେ ହଡ଼କମ୍ପ ସୃଷ୍ଟି ହୋଇଛି। କାରଣ କିଛି ଯୁବନେତା ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଏହି ଅଭିଯାନରେ ବରିଷ୍ଠ ନେତାମାନଙ୍କ ହସ୍ତାକ୍ଷପ ଦେଖିବାକୁ ମିଳିନାହିଁ। କୁହାଯାଉଛି କି ଏହି ମୁଦ୍ଦାରେ ବରିଷ୍ଠ ଓ ଯୁବନେତାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖିବାପାଇଁ ମିଳିଛି।
/sambad/media/post_attachments/wp-content/uploads/2019/06/rahul-gandhi-sad2-300x178.jpg)
ଇସ୍ତଫାକୁ ନେଇ ଅନେକ ନେତା ସହମତ ନାହାନ୍ତି। ପୁରୁଖା ନେତାମାନେ କଂଗ୍ରେସର ଇସ୍ତଫା ପର୍ବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପଦରୁ ଏତେ ସଂଖ୍ୟକ ନେତାଙ୍କ ଇସ୍ତଫା କାରଣରୁ ଦଳରେ ଅରାଜକତା ସୃଷ୍ଟି ହେବ। ନିର୍ବାଚନରେ ବିପର୍ଯ୍ୟୟ ପରେ ସମସ୍ତ ରାଜ୍ୟରେ ତାଳୁରୁ ତଳିପା ଯାଏଁ ସଂଗଠନରେ ପରିବର୍ତ୍ତନ କରାଯାଉଛି। ନେତା ବଦଳୁଛନ୍ତି। ନୂଆ ନେତା ବଛାଯାଉଛି। ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯାଉଛି। ଏପରିସ୍ଥଳେ ନେତାଙ୍କ ଇସ୍ତଫା ଦ୍ୱାରା କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକର ମୂଳଦୁଆ ଦୋହଲିଯିବ ବୋଲି ବରିଷ୍ଠ ନେତାମାନେ ଆଶଙ୍କା କରୁଛନ୍ତି।
ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ବି ଶୋକରେ ବୁଡ଼ି ରହିଛି ଦେଶର ସବୁଠାରୁ ପୁରାତନ ଦଳ ଗୋଟିଏ ପରେ ପରାଜୟର ସମୀକ୍ଷା ଚାଲିଛି, ହେଲେ ପରାଜୟ ଶୋକରୁ ବାହାରିବା ପାଇଁ ତଥା ସ୍ଥିର ହେବା ପାଇଁ ଦଳକୁ ଆହୁରି ସମୟ ଲାଗିବ। ପରାଜୟ ଦୁଃଖକୁ ଏଯାଏଁ ଭୁଲିପାରି ନାହାନ୍ତି ନିଜେ କଂଗ୍ରେସ ଅଧ୍ୟକ୍ଷ। କର୍ମୀଙ୍କୁ ଭରସା ଦେବା ବଦଳରେ ଶୋକ ସାଗରରେ ବୁଡ଼ି ରହିଛନ୍ତି। ଦଳର ଏପରି ଅବସ୍ଥା ଦେଖି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଶୋକପର୍ବ ଅଧିକ ଦିନ ଚାଲିବା ଶୁଭଙ୍କର ନୁହେଁ। ପରାଜୟରୁ ବାହାରିବା ପାଇଁ ଅଧିକ ସମୟ ନେଲେ ଲୋକେ ଧୀରେ ଧୀରେ ଦେଶର ପୁରୁଣା ଦଳକୁ ଭୁଲିବାରେ ଲାଗିବେ। ଏଥିପାଇଁ ତୁରନ୍ତ ଶୀର୍ଷ ନେତୃତ୍ୱ ଉଚିତ ପଦକ୍ଷେପ ନେବା ଜରୁରୀ।