କାନାଡାରେ ଗୁଳିକାଣ୍ଡ, ଏକାଧିକ ଲୋକ ମୃତ ଆଶଙ୍କା

ଭାଙ୍କୋଭର : କାନାଡାର ବ୍ରିଟିସ କଲମ୍ବିଆରେ ସୋମବାରଦିନ ଏକ ଗୁଳିକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଗୁଳିକାଣ୍ଡରେ ଏକାଧିକ ଲୋକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେବେ ପ୍ରକୃତ ମୃତ୍ୟୁସଂଖ୍ୟା କେତେ ସେ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ  ।

ବ୍ରିଟିଶ କଲମ୍ବିଆର ଲାଙ୍ଗଲି ସହରର ଅଲଗା ଅଲଗା ସ୍ଥାନରେ ଏହି ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡ କଥା ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଘରେ ରହିବାକୁ ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ସୋମବାର ସକାଳୁ ପୁଲିସ ପକ୍ଷରୁ ଏକ ଏସଏମଏସ କରି ଲୋକମାନଙ୍କୁ ସତର୍କ କରିଦିଆଯାଇଥିଲା । ବିଶେଷକରି ଲାଙ୍ଗଲି ସିବିଡିଠାରୁ ଦୂରେଇ ରହିବାକୁ ପୁଲିସ ଲୋକମାନଙ୍କୁ ପରାମର୍ଶ ଦେଇଛି ।

ମୃତାହତ ହୋଇଥିବା ଅଧିକାଂଶ ଲୋକ ରାସ୍ତାରେ ଯିବାଆସିବା କରୁଥିଲେ ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ଏହି ଘଟଣାରେ ଜଣେ ବ୍ୟକ୍ତିକୁ ହାଜତକୁ ନିଆଯାଇଛି । କେଉଁ କାରଣରୁ ଏହି ଗୁଳିକାଣ୍ଡ ହୋଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆମେରିକାରେ କୋହଳ ବନ୍ଧୁକ ଆଇନ କାରଣରୁ ବାରମ୍ବାର ସର୍ବସାଧାରଣରେ ଗୁଳିକାଣ୍ଡ ହେଉଥିବାବେଳେ କାନାଡାରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି । କାରଣ କାନାଡାରେ କଠୋର ବନ୍ଧୁକ ଆଇନ ରହିଛି । ଏହି କାରଣରୁ ଆଜିର ଘଟଣା ପୁଲିସର ଚିନ୍ତା ବଢାଇଦେଇଛି ।

 

ସମ୍ବନ୍ଧିତ ଖବର