ଲଣ୍ଡନ: ଉତ୍ତର-ପୂର୍ବ ଲଣ୍ଡନର ହାନାଲ୍ଟର ରାଜରାସ୍ତାରେ ଖଣ୍ଡାଧରି ଲୋକଙ୍କୁ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ପୁଲିସ କହିଛି ଯେ ସ୍ଥାନୀୟ ସମୟ ସକାଳ ୭ଟା ବେଳେ ସଂପୃକ୍ତ ଯୁବକ ଖଣ୍ଡାଧରି ଆତଙ୍କରାଜ ଚଳାଇଥିବା ବିଷୟରେ ଫୋନ ଆସିଥିଲା । ସେ ଏକ ଗାଡ଼ିରେ ଆସି ଏକ ଘରେ ପଶିଯାଇଥିଲା ଓ ଆକ୍ରମଣ କରିଥିଲା । ସନ୍ଦିଗ୍ଧ ଜଣକ କିଛି ସାଧାରଣ ଲୋକ ଏବଂ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲା ବୋଲି ପୁଲିସ କହିଛି । ଏହି ଆକ୍ରମଣରେ ଜଣେ ୧୩ ବର୍ଷ ବୟସ୍ତ ନାବାଳକ ମୃତ୍ୟୁବରଣ କରିଛି । ଗ୍ରେଟର ଲଣ୍ଡନର ୬୨୦ ବର୍ଗ ମାଇଲ (୧୬୦୫ ବର୍ଗ କିଲୋମିଟର) ଅଞ୍ଚଳ ଉପରେ ନଜର ରଖିଥିବା ମେଟ୍ରୋପଲିଟାନ ପୁଲିସ (ମେଟ୍) କହିଛି ଯେ ଘଟଣାସ୍ଥଳରେ ଉକ୍ତ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତେବେ ପୁଲିସ ପକ୍ଷରୁ ତାହାକୁ ଅଧିକ ପଚରାଉଚୁରା ଲାଗି ରହିଛି ।
ଡେପୁଟି ଆସିଷ୍ଟାଣ୍ଟ କମିଶନର ଆଡେ ଆଡେଲେକନ କହିଛନ୍ତି, ଏହି ଘଟଣା ଆତଙ୍କୀଘଟଣା ବୋଲି ମନେ ହେଉନାହିଁ। ଆମେ ବିଶ୍ୱାସ କରୁନାହୁଁ ଯେ ସାଧାରଣ ଲୋକଙ୍କ ପ୍ରତି କୌଣସି ବିପଦ ରହିଛି । ଏହି ଘଟଣାରେ ଆଉ କେହି ସଂପୃକ୍ତ ଥିବାର ଆଶଙ୍କା କମ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/WhatsApp-Image-2024-04-30-at-18.09.01.jpeg)