ଲଣ୍ଡନ: ଲଣ୍ଡନରେ ଆଜି ଦକ୍ଷିଣପନ୍ଥୀ ନେତା ଟମି ରବିନ୍‌ସନଙ୍କ ଦ୍ୱାରା  ‘ୟୁନାଇଟ୍‌ ଦ କିଙ୍ଗ୍‌ଡମ୍‌’ ବ୍ୟାନର୍‌ରେ ଏକ ବିଶାଳ  ପ୍ରବାସ ବିରୋଧୀ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରୁ ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇ ପ୍ରବାସୀଙ୍କୁ ଦେଶରୁ ତଡ଼ିବା ପାଇଁ ଦାବି କରିଥିଲେ।  ଏହି ବିକ୍ଷୋଭ ପ୍ରବାସ ନୀତି ବିରୋଧରେ ଦେଶର ସବୁଠାରୁ ବଡ଼ ପ୍ରତିବାଦ କାର୍ଯ୍ୟକ୍ରମ ବୋଲି କୁହାଯାଉଥିବା ବେଳେ ଏହା ସମଗ୍ର ଦେଶରେ ପ୍ରବାସୀ ବିରୋଧୀ ବାତାବରଣ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଆନ୍ଦୋଳନକାରୀମାନେ ବ୍ରିଟେନ, ଆମେରିକା ଓ ଇସ୍ରାଏଲର ପତାକା ଉଡ଼ାଇଥିଲେ ଏବଂ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କେତେକ ପ୍ଲାକାର୍ଡରେ ‘ପ୍ରବାସୀଙ୍କୁ ଘରକୁ ପଠାଅ’ ଲେଖା ଥିବା ଦେଖିବାକୁ ମିଳିଥିଲା। ରବିନ୍‌ସନ ଏକ୍ସରେ ଦାବି କରିଥିଲେ ଯେ ଲକ୍ଷାଧିକ ଲୋକ ଏକତା ଓ ସ୍ୱାଧୀନତା ପାଇଁ ରାସ୍ତାରେ ଅଛନ୍ତି।

Advertisment

ଅନ୍ୟପକ୍ଷରେ ଏଭଳି ପ୍ରତିବାଦକୁ ବିରୋଧ କରି ଆଉ ଏକ ଛୋଟ ଗୋଷ୍ଠୀ ‘ଷ୍ଟାଣ୍ଡ ଅପ୍ ଟୁ ରେସିଜିମ’ ବ୍ୟାନର୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରାୟ ୫ ହଜାର ଲୋକ ସାମିଲ ହୋଇଥିଲେ ଏବଂ ପ୍ରବାସୀଙ୍କୁ ବିରୋଧ ଦ୍ବାରା ଜାତିଆଣ ହିଂସା ବଢ଼ିବ ବୋଲି ସତର୍କ କରାଇ ଦେଇଥିଲେ। ମେଟ୍ରୋପୋଲିଟାନ ପୁଲିସ ୧୬୦୦ରୁ ଅଧିକ ଅଫିସର ମୁତୟନ କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ରୋକିବାକୁ ବ୍ୟାରିକେଡ଼ ସ୍ଥାପନ କରିଥିଲେ। ତଥାପି ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ  ସଂଘର୍ଷ ହୋଇଥିଲା ଏବଂ ଅନେକ ପୁଲିସ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା।