ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସରକାରୀ ଦକ୍ଷତା ବିଭାଗ (ଡୋଜ୍) ମୁଖ୍ୟ ଏଲନ୍ ମସ୍କଙ୍କ ବିରୋଧରେ ଆମେରିକାରେ ଲକ୍ଷାଧିକ ଜନତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୫୦ଟି ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରମୁଖ ସହହଗୁଡ଼ିକରେ ବିକ୍ଷୋଭରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ଦେଶରେ ୧୪୦୦ରୁ ଅଧିକ ରାଲି କରାଯାଇଛି । ଗତକାଲି ଓ ଆଜି ବିକ୍ଷୋଭରେ ଭାଗ ନେବା ପାଇଁ ୬ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରିଥିଲେ। ବିକ୍ଷୋଭକାରୀମାନେ ସରକାରୀ ଚାକିରିରୁ ଛଟେଇ, ଅର୍ଥନୀତି ଓ ମାନବାଧିକାର ଭଳି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।
ଏହି ପ୍ରତିବାଦର ନାମ ‘ହ୍ୟାଣ୍ଡସ ଅଫ୍’ ରଖାଯାଇଛି। ଏହାର ଅର୍ଥ ହେଉଛି ‘ଆମ ଅଧିକାରଠାରୁ ଦୂରେଇ ରୁହନ୍ତୁ’। ଏହି ସ୍ଲୋଗାନର ଉଦ୍ଦେଶ୍ୟ ହେଉଛି, ବିକ୍ଷୋଭକାରୀମାନେ ଚାହାନ୍ତି ନାହିଁ ଯେ ସେମାନଙ୍କ ଅଧିକାର ଉପରେ କାହାର ନିୟନ୍ତ୍ରଣ ହୁ । ଏହି ଟ୍ରମ୍ପ ବିରୋଧୀ ବିକ୍ଷୋଭରେ ୧୫୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ। ଏଥିରେ ନାଗରିକ ଅଧିକାର ସଂଗଠନ, ଟ୍ରେଡ୍ ୟୁନିୟନ, ଏଲଜିବିଟିକ୍ୟୁ ସଂପ୍ରଦାୟ, ସ୍ୱେଚ୍ଛାସେବୀ, ପୂର୍ବତନ ସୈନିକ ଏବଂ ନିର୍ବାଚନ କାର୍ଯ୍ୟକର୍ତ୍ତା ସାମିଲ ଥିଲେ। ଏଲନ୍ ମସ୍କ ଟ୍ରମ୍ପ ସରକାରଙ୍କ ‘ସରକାରୀ ଦକ୍ଷତା ବିଭାଗ’ର ମୁଖ୍ୟ ଅଛନ୍ତି। ସରକାରୀ ବ୍ୟବସ୍ଥା ବେପରୁଆ ହୋଇଯାଇଥିବାରୁ ଏଥିରେ ସୁଧାର ଆଣିବା ପାଇଁ ବ୍ୟାପକ ସଂସ୍କାର କରାଯାଉଛି ବୋଲି ମସ୍କ ଦାବି କରିଛନ୍ତି।
ଏହା ସହ ହ୍ୱାଇଟ୍ ହାଉସ୍ କହିଛି ଯେ ରାଷ୍ଟ୍ରପତି ଟ୍ରମ୍ପ ସାମାଜିକ ସୁରକ୍ଷା, ମେଡିକେୟାର ଯୋଜନା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଅନ୍ୟପକ୍ଷରେ, କେବଳ ବେଆଇନ ପ୍ରବାସୀଙ୍କୁ ସୁବିଧା ଦେବାପାଇଁ ଡେମୋକ୍ରାଟମାନେ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ କହିଛି। ବେଆଇନ ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପ ଅତି କଠୋର ନୀତି ଅବଲମ୍ବନ କରିଛନ୍ତି ଏବଂ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଲୋକଙ୍କୁ ଠାବ କରି ବଳପୂର୍ବକ ଦେଶାନ୍ତର କରାଯାଉଛି। ଏହାକୁ ନେଇ ମଧ୍ୟ ବିଭିନ୍ନ ସଂଗଠନ ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୨ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶ ଉପରେ ପାଲଟା ଟିକସ ଘୋଷଣା କରିଥିଲେ । ଆମେରିକାର ଏହି ଟିକସ ବୃଦ୍ଧିକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/07/5gxVKR4yo3fOniOK3RFs.jpg)