ମୁମ୍ବାଇ: ଶୁକ୍ରବାର ସକାଳୁ ନାଗପୁର ଜିଲ୍ଲାରେ ଅବସ୍ଥିତ ଏକ ଗୋଳାବାରୁଦ କାରାଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟଛି। ଏହି ବିସ୍ଫୋରଣରେ ପ୍ରଥମରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏହାସହିତ ୭ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣ ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା ଏହି କାରଖାନାରେ ସକାଳ ପ୍ରାୟ ୧୦.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣା ଘଟିବା ପରେ ଜିଲ୍ଲା କଲେକ୍ଟର ସଞ୍ଜୟ କୋଲ୍ଟେ କହିଛନ୍ତି, ‘‘ ଉଦ୍ଧାରକାରୀ ଏବଂ ଡାକ୍ତରୀ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ନିୟୋଜିତ ରହିଛନ୍ତି। ବିସ୍ଫୋରଣରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।’’
ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହା ୫ କିଲୋମିଟର ଦୂରକୁ ଶୁଣାଯାଇଥିଲା। ଦୂରରୁ କଏଦ ହୋଇଥିବା ଏକ ଭିଡିଓରେ କାରଖାନାରୁ ଘନ ଧୂଆଁ ଉଠିଥିବା ଦେଖିବାକୁ ମିଳିଛି।