ମସ୍କୋ: ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି।

Advertisment

ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ବେଦେର୍ଣ୍ଣିକୋଭ୍‌ ‘ଟେଲିଗ୍ରାମ୍‌’ରେ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ବିସ୍ଫୋରଣ ଓ ସାଇରନ୍‌ ଶବ୍ଦ ଶୁଣାଯାଉଛି। ସେ ଲେଖିଛନ୍ତି ପସ୍କୋଭ୍‌ ବିମାନବନ୍ଦରକୁ ଡ୍ରୋନ୍‌ ଆକ୍ରମଣ ଛାରଖାର କରିପକାଇଛି।

କିନ୍ତୁ, ଏହି ଡ୍ରୋନ୍‌ ଆକ୍ରମଣ ଯୋଗୁଁ କେହି ପ୍ରାଣ ହରାଇ ନ ଥିବା କଥା ସେ କହିଛନ୍ତି।

publive-image Image Courtesy of BBC News

ସରକାରୀ ଅଧିକାରୀମାନେ କହିଛନ୍ତି, ଏହି ଆକ୍ରମଣ ଯୋଗୁଁ ୪ଟି ରୁଷୀୟ ପରିବହନ ବିମାନ ନଷ୍ଟ ହୋଇଯାଇଛି। ରାଷ୍ଟ୍ରାୟତ ଗଣମାଧ୍ୟମ ‘ଟାସ୍‌’ ରିପୋର୍ଟ କରିଛି ଯେ, ‘ଆଇ୧-୭୬’ ସେନା ପରିବହନ ବିମାନ ସବୁ ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି।

‘ଟେଲିଗ୍ରାମ୍‌’ରେ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ ଉଲ୍ଲେଖ କରିଛନ୍ତି, ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, କୌଣସି ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇନାହିଁ। କିନ୍ତୁ, ଘଟଣା ରାତିରେ ଘଟିଥିବାରୁ ସୁବିଧା ଅସୁବିଧା ଜାଣିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯଦି ସବୁ ଠିକ୍‌ଠାକ୍‌ ଥାଏ ତେବେ ଗୁରୁବାରଠାରୁ ସ୍ବାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହେବ।

ପସ୍କୋଭ୍‌ ବିମାନ ବନ୍ଦର ଉପରେ ୧୦ରୁ ୨୦ଟି ଡ୍ରୋନ୍‌ ଆକ୍ରମଣ ହୋଇଥିବା କଥା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ସେଥିରୁ ୩ଟି ଡ୍ରୋନ୍‌କୁ ବ୍ରିୟାନ୍‌ସ୍କ ଅଞ୍ଚଳରେ ରୁଷୀୟ ସେନା ଗୁଳି ମାରି ଖସାଇ ଦେଇଛନ୍ତି।