ନାଗପୁର: ନାଗପୁରରେ ଥିବା ଏକ ହସ୍ପିଟାଲ୍ରେ ବୁଧବାର ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଛି। ଏହି ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ୍ ବିଲ୍ଡିଂରେ ପ୍ରାୟ ୨୦ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏଯାବତ୍ କୌଣସି ମୃତାହତଙ୍କୁ ଚିହ୍ନଟ କରାଯାଇ ନାହିଁ। ନିଆଁ ଲିଭାଇବା ପାଇଁ ୫ଟି ନିଆଁ ଲିଭା ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଛି। ଏହି ନିଆଁ ଲିଭା କାର୍ଯ୍ୟରେ ସେନା ଯବାନମାନେ ବି ସାହାଯ୍ୟ କରୁଥିବାର ରିପୋର୍ଟ ରହିଛି।
ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନାଗପୁରର କେପି ଗାଉଣ୍ଡ୍ ନିକଟସ୍ତ କିଙ୍ଗ୍ସ ଓଏ ରୋଡରେ ଥିବା ସଞ୍ଚେତି ହସ୍ପିଟାଲ୍ର ନୂଆ କରି ନିର୍ମାଣ ହେଉଥିବା ବିଲ୍ଡିଂରେ ନିଆ ଲାଗିଯାଇ ଏପରି ପରିସ୍ଥିତି ଉପୁଜିଛି।
ଅଗ୍ନିକାଣ୍ଡ ସମୟର ଭିଡିଓରୁ ଦେଖିବାକୁ ମିଳୁଛି ଯେ ୫ ମହଲା ବିଶିଷ୍ଟ ହସ୍ପିଟାଲ୍ ବିଲ୍ଡିଂରୁ ମୋଟା ଆକାରରେ ଧୁଆଁ ବାହାରୁଛି। ଏଯାବତ୍ ନିଆଁ ଲାଗିବା ପଛର କାରଣ ବିଷୟରେ ଜଣା ପଡ଼ିନାହିଁ। ତଥାପି ସର୍ଟ ସର୍କିଟ ହେତୁ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।
ଯେଉଁମାନେ ହସ୍ପିଟାଲ୍ ବିଲ୍ଡିଂ ଭିତରେ ଫସି ରହିଛନ୍ତି ସେମାନେ ହସ୍ପିଟାଲ୍ କର୍ମଚାରୀ କିମ୍ବା ରୋଗୀ ତାହା ଏଯାବତ୍ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।