ମୁମ୍ବାଇ ଫୋର୍ଟ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ଘଟଣାସ୍ଥଳରେ ୧୬ଟି ଦମକଳ ମୁତୟନ

ମୁମ୍ବାଇ: ଆଜି ପ୍ରତ୍ୟୁଷରେ ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ କବୁତର ଖାନାରେ ଅବସ୍ଥିତ ‘କୋଠାରି ମାନ୍‌ସନ୍‌’ ନାମକ ଅଟ୍ଟାଳିକାରେ ନିଅାଁ ଲାଗିଛି।

ନିଅାଁ ଲିଭାଇବାକୁ ୧୬ଟି ଦମକଳ ମୁତୟନ କରାଯାଇଛି। ଅଟ୍ଟାଳିକାଟି ୭ ତାଲା ବିଶିଷ୍ଟ ଓ ଦକ୍ଷିଣ ମୁମ୍ବାଇର ଜନଗହଳି ଅଞ୍ଚଳରେ ଅବସ୍ଥିତ। ଅଟ୍ଟାଳିକାଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବିଏମ୍‌ସି ତାହାକୁ ବିପଜ୍ଜନକ ଘୋଷଣା କରିଥିଲା। ମହାରାଷ୍ଟ୍ର ହାଉସିଙ୍ଗ୍‌ ଆଣ୍ଡ୍‌ ଏରିଆ ଡେଭେଲପ୍‌ମେଣ୍ଟ୍‌ ଅଥରିଟି ଦ୍ୱାରା ଏହି ପୁରାତନ ଅଟ୍ଟାଳିକଟି ନିର୍ମାଣ କରାଯାଇଥିଲା।

ଦମକଳ ବାହିନୀ ନିଅାଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ କୋଠାର କିଛି ଅଂଶ ଭାଙ୍ଗିପଡ଼ିବାରୁ ଦୁଇ ଜଣ ନିଅାଁ ଲିଭାଳି ଆହତ ହୋଇଛନ୍ତି।
ନିଅାଁ ଲାଗିବାର କାରଣ ଜଣାପଡ଼ି ନାହିଁ। କାହାରି ମୃତ୍ୟୁ ହୋଇଥିବାର ଖବର ମଧ୍ୟ ମିଳି ନାହିଁ।

ମୁମ୍ବାଇ ଫାୟାର୍‌ ବ୍ରିଗେଡ୍‌ସ୍‌ ରିପୋର୍ଟ ଅନୁସାରେ ସେ କୋଠାରେ କେହି ରହୁ ନ ଥିଲେ। ଭୋର୍‌ ୪ଟା ୧୬ ମିନିଟ୍‌ରେ ଫାୟାର୍‌ ବ୍ରିଗେଡ୍‌ ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇଥିଲା।

ସମ୍ବନ୍ଧିତ ଖବର