ବେଙ୍ଗାଲୁରୁ: ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ଟ୍ରାଫିକ୍ ଜାମ୍ ହେବାରୁ ଯାନବାହନ ଚଳାଚଳରେ ଭୀଷଣ ବିଭ୍ରାଟ ସୃଷ୍ଟି ହୋଇଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, ଅଫିସ୍କୁ ଯାଇଥିବା ଲୋକମାନେ ଘରକୁ ଫେରୁଥିବାରୁ ସନ୍ଧ୍ୟା ୫ଟାରୁ ରାତି ୮ ମଧ୍ୟରେ ସହରର ରାସ୍ତାଘାଟରେ ହଠାତ୍ ଯାନବାହନ ଚଳାଚଳ ବଢ଼ିଗଲା। ଏହାର କାରଣ ହେଲା, ଗୁରୁବାର ଦିନ ପଡୁଥିବା ‘ଇଦ୍ ମିଲାଦ୍-ଉନ୍ ନବି’ ଛୁଟି, ଶୁକ୍ରବାର ଦିନ କାବେରୀ ଜଳ ବିବାଦ ଘଟଣାରେ ପ୍ରତିବାଦକାରୀମାନେ ଦେଇଥିବା କର୍ଣ୍ଣାଟକ ବନ୍ଦ ଡାକରା। ତା’ପରେ, ଶନିବାର ଓ ରବିବାର ସପ୍ତାହାନ୍ତ ଛୁଟି ଏବଂ ଅକ୍ଟୋବର ୨ରେ ପଡୁଥିବା ଗାନ୍ଧୀ ଜୟନ୍ତୀ ଛୁଟି। ୫ ଦିନ ଛୁଟି ମିଳିଥିବାରୁ ଅନେକ ଲୋକ ସହର ବାହାରକୁ ବାହାରି ଯାଉଥିଲେ।
ସବୁଠୁ ଭିଡ଼ ହୋଇଥିଲା ସହରର ‘ଆଉଟର୍ ରିଙ୍ଗ୍ ରୋଡ୍’। ସେଠାରେ ୫ ଘଣ୍ଟା କାଳ ଫସି ରହିଥିବା କଥା ଲୋକେ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସର ଯୁଗ୍ମ କମିସନର୍ ଜାରି କରିଥିବା ବିବୃତିରେ ମଧ୍ୟ କହିଛନ୍ତି ଯେ, ବୁଧବାର ସନ୍ଧ୍ୟା ବେଳେ ‘ଆଉଟର୍ ରିଙ୍ଗ୍ ରୋଡ୍’ ଓ ତା’ର ଚତୁଃପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅଭୂତପୂର୍ବ ଯାନବାହନ ଗହଳି ଦେଖାଯାଇଥିଲା।
ଅନେକ ଭୁକ୍ତଭୋଗୀ ସାମାଜିକ ଗଣମାଧ୍ୟରେ ଲେଖିଛନ୍ତି ଯେ, ସହରରେ ପରିସ୍ଥିତି ଏମିତି ହେଲା ୧ କିଲୋମିଟର୍ ବାଟ ଯିବାକୁ ୨ ଘଣ୍ଟା ଲାଗିଲା। ସ୍କୁଲ୍ରୁ ଯାଉଥିବା ବସ୍ ପିଲାଙ୍କୁ ନେଇ ଘରେ ଛାଡ଼ିବା ବେଳକୁ ରାତି ୮।
ପୁଲିସ କହିବା ଅନୁସାରେ, ସ୍ବାଭାବିକ ଦିନ ଅପେକ୍ଷା ବୁଧବାର ଦିନ ବେଙ୍ଗାଲୁରୁରେ ଦୁଇଗଣ ଯାନବାହନ ଚଳାଚଳ କରିଥିଲା। ଅନ୍ୟାନ୍ୟ ବୁଧବାର ଦିନ ସଡ଼କରେ ୧.୫ରୁ ୨ ଲକ୍ଷ ମଧ୍ୟରେ ଯାନବାହନ ଚଳାଚଳ କରୁଥିବା ବେଳେ ଗତ ବୁଧବାର ଦିନ ସନ୍ଧ୍ୟା ୭.୩୦ ସୁଦ୍ଧା ଯାନବାହନ ସଂଖ୍ୟା ଥିଲା ୩.୫ ଲକ୍ଷରୁ ଅଧିକ।