ମହାରାଷ୍ଟ୍ରରେ ବଡ଼ଧରଣର ବିଜୁଳି ବିଭ୍ରାଟ : ମୁମ୍ବାଇ ୨ ଘଣ୍ଟା ଅଚଳ

ଟ୍ରେନ୍‌, ହସ୍ପିଟାଲ୍‌, ବ୍ୟାଙ୍କ ସେବା ବ୍ୟାହତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ବଡ଼ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ଧରି ମୁମ୍ବାଇ ମହାନଗରୀକୁ ବିଜୁଳି ସରବରାହ ବନ୍ଦ ହୋଇଯିବା କାରଣରୁ ଡାକ୍ତରଖାନାରେ ରୋ‌ଗୀସେବା, ଜଳଯୋଗାଣ, ଟ୍ରେନ୍ ଚଳାଚଳ, ଟ୍ରାଫିକ ପରିଚାଳନା, ବହୁତଳ ବିଶିଷ୍ଟ କୋଠାରେ ଲିଫ୍ଟରେ ଯିବାଆସିବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥି ଯୋଗୁଁ ମୁମ୍ବାଇବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ବ୍ୟକ୍ତି ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରିନାହାନ୍ତି। ସୋସିଆଲ ମିଡିଆର ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ  ବିଦ୍ୟୁତ୍‌ ବିଭ୍ରାଟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Dawn

ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୦ଟାରୁ ୧୨ଟା ଯାଏ ମୁମ୍ବାଇ ସମେତ ମୁମ୍ବାଇ ସହରତଳି ଅଞ୍ଚଳ, ନବିମୁମ୍ବାଇ, ଥାନେ, କଲ୍ୟାଣ, ପାଲଘର, ବାନ୍ଦ୍ରା, ଚର୍ଚ୍ଚଗେଟ୍‌ ଏବଂ ଅନ୍ୟ କେତେକ ଅଞ୍ଚଳରେ ଅତ୍ୟାବଶକ ସେବା ବ୍ୟାହତ ହୋଇଛି। ବିଜୁଳି ବିଭ୍ରାଟ ଯୋଗୁଁ ବିଭିନ୍ନ ଷ୍ଟେସନରେ ଦୀର୍ଘ ସମୟ ଧରି ଟ୍ରେନ୍‌ ଅଟକି ରହିଥିଲା। ମୁମ୍ବାଇର କେତେକ ଅଞ୍ଚଳରେ ଟ୍ରାଫିକ ଜାମ୍‌ ସମସ୍ୟା ଦେଖାଦେଇଥିଲା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଗୃହିଣୀମାନଙ୍କୁ ରୋଷେଇ ଘରେ ମହମବତି ଜାଳି ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା। ତେବେ ପାୱାର ବ୍ୟାକଅପ୍‌ ଯୋଗୁଁ ମୁମ୍ବାଇର ଷ୍ଟକ୍‌ ମାର୍କେଟ୍‌ ବର୍ତ୍ତିଯାଇଛି। ଏଥି ଯୋଗୁଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସମେତ ବ୍ରୋକ୍‌ରେଜ୍‌ ହାଉସ୍‌ ଗୁଡ଼ିକରେ ସ୍ବାଭାବିକ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଦିନ ୧୨ଟା ପରେ ମୁମ୍ବାଇର ବିଭିନ୍ନ ଅଞ୍ଚଳକୁ ପର୍ଯ୍ୟାୟକ୍ରମେ ବିଜୁଳି ଯୋଗାଇ ଦିଆଯାଇଥିଲା।

ଥା‌ନେର କଲୱାଠାରେ ବିଦ୍ୟୁତ୍ ଲାଇନ୍‌ ମରାମତି କାମ ହେଉଥିଲା। ଏଥିପାଇଁ ଅନ୍ୟ ସର୍କିଟ୍‌ଗୁଡ଼ିକ ମାଧ୍ୟମରେ ବିଦ୍ୟୁତ୍‌ ପରିବହନ କରାଯାଉଥିଲା। ଏହି ସମୟରେ ବୈଷୟିକ ତ୍ରୁଟି ଦେଖାଦେବାରୁ ମୁମ୍ବାଇ-ଥାନେର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.‌କେ. ସିଂହ କହିଛନ୍ତି, ମହାରାଷ୍ଟ୍ର ରାଜ୍ୟ ଗ୍ରିଡ୍‌ରେ ବିଭ୍ର‌ାଟ ‌ହୋଇଥିଲେ ମଧ୍ୟ ନ୍ୟାସ୍‌ନାଲ ଗ୍ରିଡ୍‌ରେ ବିଜୁଳି ଯୋଗାଣରେ କୌଣସି ସମସ୍ୟା ଦେଖାଦେଇ ନାହିଁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ଶକ୍ତିମନ୍ତ୍ରୀ ନୀତୀନ ରାଉତଙ୍କ ସମେତ ଅନେକ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଖୁବଶୀଘ୍ର ବିଜୁଳି ଯୋଗାଣ ସ୍ବାଭାବିକ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର