ମୁମ୍ବାଇରେ ବଡ଼ ଧରଣର ବିଜୁଳି ବିଭ୍ରାଟ: ୫୦ ଟ୍ରେନ ବାତିଲ, ୧୪୦ ବିଳମ୍ବିତ

ଟ୍ରାକ୍‌ରେ ଚାଲିଲେ ଯାତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: ମୁମ୍ବାଇରେ ରବିବାର ସକାଳେ ଘଣ୍ଟାଏ ପର୍ଯ୍ୟନ୍ତ ବଡ଼ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି। ଏଥିଯୋଗୁ ଲୋ‌କାଲ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ୫୦ଟି ଟେନ୍ ବାତିଲ ହୋଇଥିବାବେଳେ ୧୪୦ଟି ଟ୍ରେନ ଚଳାଚଳ ବିଳମ୍ବ ହୋଇଛି। ଟ୍ରେନ ଅଟକି ରହିବା କାରଣରୁ ଲୋକମାନେ ଟ୍ରାକ୍‌ରେ ଚାଲିବା ଦୃଶ୍ୟ ଦେଖିବାକୁ ମିଳିଛି।

ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚର୍ଚ୍ଚଗେଟ୍‌ରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ ୱେଷ୍ଟର୍ଣ୍ଣ ଲାଇନରେ ଟ୍ରେନ ସେବା ବ୍ୟାହତ ହୋଇଥିଲା। ମୁମ୍ବାଇ ସେଣ୍ଟ୍ରାଲ-ଭିଲେ ପାର୍ଲେ ମଧ୍ୟରେ ମଧ୍ୟାହ୍ନ ବେଳକୁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ବିଜୁଳି କଟିବା ପରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା। ଫଳରେ ଅନେକ ଯାତ୍ରୀ ଟେନ ଭିତରେ ଫସି ରହିଥିଲେ। ସକାଳେ ଓଭରଲୋଡ୍‌ ପାଇଁ ଟ୍ରିପିଂ ହୋଇଥିଲା। ଦକ୍ଷିଣ ମୁମ୍ବାଇ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଏପରି ସ୍ଥିତି ହୋଇଥିଲା। ପ୍ରାୟ ୧ ଘଣ୍ଟା ପାଇଁ ବିଜୁଳି କଟିଯାଇଥିଲା। ମୁଲୁନ୍ଦ-ଟ୍ରମ୍ବେରେ ଏମଏସଇବିର ୨୨୦ କେଭି ଟ୍ରାନ୍ସମିସନ ଲାଇନରେ ଟ୍ରିପିଂ କାରଣରୁ ମୁମ୍ବାଇର ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା। ଟାଟା ଗ୍ରିଡ୍‌ର ବିଫଳତା ଯୋଗୁ ସିଅନ, ମାଟୁଙ୍ଗା, ପାରେଲ, ଦାଦର, ସିଏସଏମଟି, ବାଇକୁଲା, ଚର୍ଚ୍ଚ ଗେଟ୍ ଓ ଅନ୍ୟାନ୍ୟ ଅଞ୍ଚଳରେ ବିଜୁଳି କଟିଥିଲା। ସକାଳ ୯ଟା ୪୨ରୁ ୧୦ଟା ୪୪ ପର୍ଯ୍ୟନ୍ତ ଆନ୍ଧେରିରୁ ଚର୍ଚ୍ଚ ଗେଟ୍ ମଧ୍ୟରେ ବିଜୁଳି ନଥିଲା ବୋଲି ରେଳ ଅଧିକାରୀମାନେ ସୂଚନା ଦେଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ‌ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତିନ ରାୱତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର