ୟେଦ୍ୟୁରାପ୍ପାଙ୍କ ଘର ଉପରକୁ ପଥରମାଡ଼, ସଂରକ୍ଷଣକୁ ନେଇ ତାତିଲେ ବଞ୍ଜାରା ସଂପ୍ରଦାୟ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରାପ୍ପାଙ୍କ ଶିବମୋଗାର ଶିକାରୀପୁରସ୍ଥିତ ବାସଭବନ ଉପରେ ଟେକାପଥର ମାଡ଼ ହୋଇଛି । ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜାରା ସମ୍ପ୍ରଦାୟର ଲୋକେ ତାଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ । ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ଲାଠିଚାଳନା କରିଥିବା ଜଣାଯାଇଛି । ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଆଭ୍ୟନ୍ତରୀଣ ସଂରକ୍ଷଣ ଦାବି କରି ଆସୁଛନ୍ତି ବଞ୍ଜାରା ସମ୍ପ୍ରଦାୟ। କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ ଏବଂ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି ।

ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟକୁ ଦିଆଯାଇଥିବା ଆଭ୍ୟନ୍ତରୀଣ ସଂରକ୍ଷଣକୁ ନେଇ ବଞ୍ଜାରା ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶୁକ୍ରବାର କର୍ଣ୍ଣାଟକର ବିଜେପି ସରକାର ଏସସି/ଏସଟି ସମ୍ପ୍ରଦାୟ ପାଇଁ ଆଭ୍ୟନ୍ତରୀଣ ସଂରକ୍ଷଣ ଘୋଷଣା କରିଛନ୍ତି। ସେହି ଅନୁଯାୟୀ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଦିଆଯାଇଥିବା ୧୭ ପ୍ରତିଶତ ସଂରକ୍ଷଣକୁ ଆଭ୍ୟନ୍ତରୀଣ ଭାବେ ବିଭକ୍ତ କରାଯାଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ଏସସି ଲେଫ୍ଟଙ୍କୁ ୬ ପ୍ରତିଶତ, ଏସସି ରାଇଟକୁ ୫.୫ ପ୍ରତିଶତ, ଟଚେବଲକୁ ୪.୫ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୧ ପ୍ରତିଶତ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ସଦାଶିବ କମିଶନଙ୍କ ସୁପାରିସ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ବଞ୍ଜାରା ସଂପ୍ରଦାୟ କହୁଛନ୍ତି ଯେ ଏହା ଦ୍ବାରା ସେମାନଙ୍କ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେବେ । ଏହି ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିବା ସୁପାରିସକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବଞ୍ଜାରା ସମ୍ପ୍ରଦାୟର ମୁଖ୍ୟମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର