ୟୁପିରେ ବ୍ୟାପକ ହିଂସା, ୮ ମୃତ

ଚାଷୀଙ୍କ ଉପରେ କାର୍‌ ଚଢ଼ାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଚାଷୀ ଆନ୍ଦୋଳନ ବେଳେ ହିଂସା, ଉତ୍ତ୍ୟକ୍ତ ଚାଷୀ ୩ ଗାଡ଼ି ଜାଳିଦେଲେ
ସମଗ୍ର ଅଞ୍ଚଳ ପୁଲିସ ଛାଉଣି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲଖିମପୁରରେ ରବିବାର ଚାଷୀମାନଙ୍କ ବିକ୍ଷୋଭ ବେଳେ ବଡ଼ ଧରଣର ହିଂସାକାଣ୍ଡ ଘଟି ୮ ଜଣ ପ୍ରାଣ ହରାଇଛନ୍ତି ଏବଂ ବହୁସଂଖ୍ୟକ ଆହତ ହୋଇଛନ୍ତି। ଲଖିମପୁର ଖେରିର ଟିକୁନିଆରେ ଚାଷୀମାନେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ବେଳେ ଦୁଇଟି ଏସୟୁଭି କାର ଚାଷୀମାନଙ୍କ ଉପରେ ମାଡ଼ି ଯାଇଥିଲା। ‌ଏହି କାରରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଥିଲେ ବୋଲି ଅଭି‌ଯୋଗ ହୋଇଛି। କାର ମାଡ଼ିଯିବାରୁ ୩ ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁଳିମାଡ଼ରେ ନିହତ ହୋଇଛନ୍ତି। ମନ୍ତ୍ରୀଙ୍କ ପୁଅ ଗୁଳିମାଡ଼ କରିଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିରେ ଉତ୍ତ୍ୟକ୍ତ ‌ହୋଇ ଚାଷୀମାନେ ଏହି ଦୁଇ କାରରେ ନିଆଁ ଲଗାଇଦେବା ସହିତ ଏଥିରେ ଥିବ‌ା ଯାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହାକୁ ନେଇ ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଆନ୍ଦୋଳନକାରୀ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଜାଣିଶୁଣି କାର୍‌ ଚଢ଼ାଇ ଦେଇଥିଲେ। କାର୍‌ ଚାପା ଓ ଗୁଳିମାଡ଼ରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିବାରୁ ପରିସ୍ଥିତି ବିସ୍ଫୋରକ ରୂପ ନେଇଥିଲା। ଏହାପରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ଚାଷୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗ୍ରାମ ଟିକୁନିଆ ଟିକଟସ୍ଥ ବନବୀରପୁରରେ ପୂରାଇ ନଦେବାକୁ ଯୋଜନା କରି ଜୋର୍‌ଦାର ବିରୋଧ କରିଥିଲେ। ପ୍ରାୟ ୧ ହଜାରରୁ ଅଧିକ ଚାଷୀ କଳାପତାକା ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ। ଉକ୍ତ ରାସ୍ତା ଦେଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସମର୍ଥକମାନେ ଯିବା ବେଳେ ଆନ୍ଦୋଳନକାରୀମାନେ ସେମାନଙ୍କୁ ଘେରି ଯାଇଥିଲା। କାର୍‌ ଚଢ଼ିଯିବାରୁ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ଘଟିବା ପରେ ଅଚାନକ ହିଂସା ବ୍ୟାପି ଯାଇଥିଲା। ଚାଷୀମାନେ ଆଶିଷ ମିଶ୍ରଙ୍କ କାର୍‌ ସମେତ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଏବଂ ତାଙ୍କର ସମର୍ଥକମାନଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିଲା।

ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ଥିବାରୁ ଉକ୍ତ ଅଂଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଲଖିମପୁରରେ ଏକ ବଡ଼ କାର୍ଯ୍ୟକ୍ରମ ରହିଥିଲା। ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିତ୍ର ତାଙ୍କ ସମର୍ଥକଙ୍କ ସହ ଯାଉଥିବା ବେଳେ ଏଭଳି କାଣ୍ଡ ଘଟିଥିବାରୁ ମନ୍ତ୍ରୀଙ୍କ ପୁଅ ଜାଣିଶୁଣି କାର୍‌ ଚଢ଼ାଇଥିବା ଅଭିଯୋଗ ହୋଇଛି। ଭାରତୀୟ କିଷାନ୍‌ ୟୁନିୟନ (ବିକେୟୁ) ଦାବି କରିଛି ଯେ ଏହି ଘଟଣାରେ ମୋଟ୍‌ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଅନେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପ୍ରତିବାଦ ଜାରି ରଖିଥିବାରୁ ସମଗ୍ର ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। ଟିକୁନିଆ ଅଂଚଳରେ ଉତ୍ତେଜନା ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଖିମ୍‌ପୁର ଘଟଣାକୁ ନେଇ ରାଜ୍ୟବ୍ୟାପୀ ହିଂସା ଉପୁଜିବା ଆଶଙ୍କା କରି ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଲଖିମପୁର ସହ ସଂଲଗ୍ନ ସମସ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ବିକେୟୁ ନେତା ରାକେଶ ଟିକାୟତ ଗାଜିପୁରରୁ ଆଜି ସନ୍ଧ୍ୟାରେ ଲଖିମପୁର ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର