ପ୍ରଧାନ ବିଚାରପତି ‘ମାଷ୍ଟର ଅଫ୍‌ ଦି ରୋଷ୍ଟର୍‌’

ସମ୍ବିଧାନ ଦେଇଛି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମାମଲା ଆବଣ୍ଟନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ପାଇଁ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଡି.ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଏ.ଏମ୍‌.ଖାନଓ୍ଵିଲକରଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କଠାରୁ ଊର୍ଦ୍ଧ୍ୱରେ। ମାମଲା ଆବଣ୍ଟନ ଓ ଖଣ୍ଡପୀଠ ଗଠନ ନେଇ ତାଙ୍କ ପାଖରେ ସ୍ୱତନ୍ତ୍ର ଅଧିକାର ରହିଛି ଏବଂ ଏହି ଅଧିକାର ପ୍ରଧାନ ବିଚାରପତିଙ୍କୁ ଭାରତର ସମ୍ବିଧାନ ଦେଇଛି। ଗତ ସପ୍ତାହରେ ଲକ୍ଷ୍ନୌର ଓକିଲ ଅଶୋକ ପାଣ୍ଡେ ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନ ଓ ଖଣ୍ଡପୀଠ ଗଠନ ନେଇ ନୂତନ ନିୟମ ଲାଗୁ କରିବା ନିମନ୍ତେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ପାଣ୍ଡେ କହିଥିଲେ ଯେ, ଜନସ୍ୱାର୍ଥ ମାମଲା, କର ସମ୍ବନ୍ଧିତ ମାମଲା, ଅପରାଧିକ ମାମଲା, ଜମି ବିବାଦ ଓ ଚାକିରି ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ପାଇଁ ଭିନ୍ନ ଭିନ୍ନ ଖଣ୍ଡପୀଠ ଗଠନ କରାଯାଉ ଏବଂ ଖଣ୍ଡପୀଠ ଗଠନ ନେଇ କେତେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆବଶ୍ୟକ। ତେବେ ସୁପ୍ରିମ୍‌ କୋର୍ଟର ମାମଲା ଆବଣ୍ଟନ ପ୍ରକ୍ରିୟାରେ ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ଏବଂ ସମସ୍କନ୍ଧଙ୍କଠାରୁ ଊର୍ଦ୍ଧ୍ୱରେ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତିଙ୍କ ଉପରେ ଅବିଶ୍ୱାସ କରିବା ଆଦୌ ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ଦେଶର ସର୍ବୋଚ୍ଚ ଅଦାଲତ କାର୍ଯ୍ୟକାରୀ ହେବା ଦିନଠାରୁ ପ୍ରଧାନ ବିଚାରପତି ହିଁ ‘ମାଷ୍ଟର ଅଫ୍‌ ଦି ରୋଷ୍ଟର’ ଅର୍ଥାତ୍‌ ମାମଲା ଆବଣ୍ଟନର ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ କରି ଆସିଛନ୍ତି। ତେବେ ଗତ ଜାନୁଆରି ୧୨ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ଏହି ସ୍ୱତନ୍ତ୍ର ଅଧିକାରକୁ ନେଇ ପ୍ରଶ୍ନ ଉଠିଥିଲା। ସୁପ୍ରିମକୋର୍ଟର ୪ଜଣ ବରିଷ୍ଠତମ ବିଚାରପତି ଜେ.ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌ବି ଲୋକୁର ଓ କୁରିଆନ୍‌ ଜୋସେଫ୍‌ ପ୍ରଧାନ ବିଚାରପତିଙ୍କ ମାମଲା ଆବଣ୍ଟନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ନ୍ୟାୟପାଳିକାର ଇତିହାସରେ ଏଭଳି ଘଟଣା ପ୍ରଥମ ଥିବା ବେଳେ ଏହାକୁ ନେଇ ରାଜନୀତି ବି ସରଗରମ ହୋଇଥିଲା। ପରବର୍ତ୍ତୀ ସମୟରେ ମଧ୍ୟ ଜଷ୍ଟିସ ଜେ. ଚେଲାମେଶ୍ୱର ଏହି ପ୍ରସଙ୍ଗ ବହୁବାର ଉଠାଇ ଚର୍ଚ୍ଚାରେ ରହିଛନ୍ତି। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଦାୟିତ୍ୱ ନ ମିଳିଲେ ସମସ୍ତ ଆଶଙ୍କା ସତ ପ୍ରମାଣିତ ହେବ ବୋଲି ନିକଟରେ ତାଙ୍କର ମନ୍ତବ୍ୟ ମଧ୍ୟ ଚର୍ଚ୍ଚାରେ ରହିଥିଲା। ତେବେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଆଣିବାକୁ ଥିବା ମହାଭିଯୋଗ ପ୍ରସ୍ତାବକୁ ସେ ନାପସନ୍ଦ କରିଥିଲେ। ମାମଲା ଆବଣ୍ଟନ ଓ ଖଣ୍ଡପୀଠ ଗଠନ କ୍ଷେତ୍ରରେ ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି ବିବାଦରୁ ଊର୍ଦ୍ଧ୍ୱରେ ବୋଲି ଆଜି କୋର୍ଟ ସ୍ପଷ୍ଟ କରିଦେବା ପରେ ଏ ବାବଦ ଚର୍ଚ୍ଚାରେ ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର