‘ଅଗ୍ନିପଥ’ ପାଇଁ ସିକନ୍ଦରାବାଦ ରେଳଷ୍ଟେସନରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ

ସିକନ୍ଦରାବାଦ: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଛି | ଏହି ମୁଖ୍ୟ ଖଳନାୟକ ଜଣକ ଜଣେ ପୂର୍ବତନ ସୈନିକ ବୋଲି ଜଣାପଡିଛି | ଏହି ପୂର୍ବତନ ସୈନିକଙ୍କ ନାମ ଅବୁଲା ସୁବା ରାଓ ହୋଇଥିବାବେଳେ ପୁଲିସର ସୂଚନାନୁସାରେ, ସୁବା ରାଓ ହିଁ ହେଉଛନ୍ତି ହିଂସାକାଣ୍ଡର ପ୍ରକୃତ ମାଷ୍ଟରମାଇଣ୍ଡ। ଶୁକ୍ରବାର ଦିନ ହୋଇଥିବା ହିଂସାକାଣ୍ଡରେ ବିକ୍ଷୋଭକାରୀମାନେ ସିକନ୍ଦରାବାଦ ରେଳ ଷ୍ଟେସନରେ ଅନେକ ଟ୍ରେନ୍ ଜାଳି ଦେଇଥିଲେ। ଆଉ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସକୁ ଗୁଳିଚାଳନା କରିବାକୁ ପଡିଥିଲା | ଏଥିରେ ରାକେଶ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା |

ରିପୋର୍ଟ ଅନୁଯାୟୀ, ସୁବା ରାଓ ଜନତାଙ୍କୁ ଏକତ୍ରିତ କରିବା ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିଥିଲା | ରାଓ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ସେ କିଛିଦିନ ହେବ ସେନା ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏକ ତାଲିମ କେନ୍ଦ୍ର ଚଳାଉଛନ୍ତି। ନରସାରାଓପେଟ, ହାଇଦ୍ରାବାଦ ସମେତ ରାଜ୍ୟର ଅନ୍ୟ ସାତୋଟି ସ୍ଥାନରେ ଏହାର ଶାଖା ରହିଛି। ପଚରାଉଚରା ପାଇଁ ସୁବା ରାଓଙ୍କୁ ପୁଲିସ ଗିରଫ କରିଛି। ପୁଲିସର ସୂଚନା ମୁତାବକ ହ୍ଵାଟ୍ସଆପ ଗ୍ରୁପ କରି ସୁବା ରାଓ ହିଁ ଯୁବକଙ୍କୁ ବିଭ୍ରାନ୍ତ କରିଥିଲା |

ସେ ହିଁ ଏକ ଅଡିଓ ମେସେଜ୍‌ରେ କହିଥିଲା ଯେ- ‘କାଲି ସିକନ୍ଦରାବାଦ ରେଳ ଷ୍ଟେସନ୍‌କୁ ସାଙ୍ଗ‌ରେ ପେଟ୍ରୋଲ, ଟାୟାର ଏବଂ ପୁରୁଣା ପୋଷାକ ଆଣିଥିବ। ଆମେ ଏସବୁ ରେଳ ଷ୍ଟେସନରେ ପାଇବାନି। ‌ତେଣୁ ଯଦି ଏସବୁ ଆଣିବ ଆମେ ଯାନବାହନ ଏବଂ ଟ୍ରେନ୍‌ରେ ନିଆଁ ଲଗାଇ ରେଳ ସେବା ବାଧାପ୍ରାପ୍ତ କରିପାରିବା।’ ସୂଚନା ଥାଉ କି ଶୁକ୍ରବାର ଦିନ ହଜାର ହଜାର ବିକ୍ଷୋଭକାରୀ ରେଳ ଷ୍ଟେସନରେ ଅନେକ ଯାତ୍ରୀବାହୀ ଟ୍ରେନକୁ ଟାର୍ଗେଟ କରିଥିଲେ।

ସମ୍ବନ୍ଧିତ ଖବର