ସାପ ଅଟକାଇଲା କ୍ରିକେଟ୍‌ ମ୍ୟାଚ : ପଡ଼ିଆରେ ସାପ ବୁଲିବା ଯୋଗୁଁ ବିଳମ୍ବରେ ଆରମ୍ଭ ହେଲା ବିଦର୍ଭ-ଆନ୍ଧ୍ର ରଣଜୀ ମ୍ୟାଚ୍‌

ନାଗପୁର : ବିଭିନ୍ନ କାରଣରୁ କ୍ରିକେଟ ମ୍ୟାଚ ଅଟକିରହିବା କଥା ଆପଣ ଶୁଣିଥିବେ । ଅଧିକାଂଶ ସମୟରେ ବର୍ଷା କାରଣରୁ ଖେଳ ଅଟକି ରହେ । ଆଉ କେତେକ ସମୟରେ ଦର୍ଶକଙ୍କ ବିଶୃଙ୍ଖଳା, ଜଣେ କ୍ରିକେଟପ୍ରେମୀ ହଠାତ ପଡ଼ିଆ ଭିତରକୁ ଦୌଡ଼ିଯିବା, କୁକୁର ପଶିଯିବା କାରଣରୁ ଖେଳ ଅଟକିଯାଏ । କିନ୍ତୁ ଆଜି ଆରମ୍ଭ ହୋଇଥିବା ଆନ୍ଧ୍ରପ୍ରଦେଶ ଓ ବିଦର୍ଭ ରଣଜୀ ଟ୍ରଫି ମ୍ୟାଚ ଏକ ଭିନ୍ନ କାରଣରୁ କିଛି ସମୟ ପାଇଁ ଅଟକିରହିଥିଲା । ଏହାର କାରଣ ହେଉଛି ପଡ଼ିଆ ଭିତରକୁ ହଠାତ ଏକ ସାପ ପଶିଯାଇଥିଲା ।

 

ଏକ ଲମ୍ବା ସାପକୁ ଦେଖି ଖଳାଳିମାନେ ଚମକି ପଡିଥିଲେ । କିଛି ସମୟ ପଡ଼ିଆ ଭିତରେ ବୁଲିବା ପରେ ସାପଟି ବାହାରକୁ ଚାଲିଯାଇଥିଲା । ଏହା ପରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ସାପ ବୁଲୁଥିବା ଏକ ଭିଡିଓ ବିସିସିଆଇ ପକ୍ଷରୁ ଟ୍ଵିଟରରେ ଅପଲୋଡ କରାଯିବା ପରେ ତାହା ଭାଇରାଲ ହୋଇଯାଇଛି । ତେବେ ପୂର୍ବରୁ ମଧ୍ୟ ୨୦୧୫-୧୬ କ୍ରିକେଟ୍‌ ସିଜିନରେ ବେଙ୍ଗଲ ଓ ବିଦର୍ଭ ମଧ୍ୟରେ ଖେଳାଯାଇଥିବା ଏକ ରଣଜୀ ମ୍ୟାଚରେ ଏକ ଚାରି ଫୁଟିଆ ସାପ ଦେଖାଦେଇଥିଲା । ଆଜିର ମ୍ୟାଚରେ ବିଦର୍ଭ ଦଳର ଅଧିନାୟକ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର