ଇଣ୍ଟର୍‌ନେଟ୍‌ରେ ନିଅାଁ ଲଗାଇ ଦେଲା ଦିଆଶିଲି ଖୋଳ ଚିଠି

ବରେଲି: ଏଇଟା ଗୋଟାଏ ସିଧାସାଦା ଚିଠି, କିନ୍ତୁ ଏହାକୁ ପଢ଼ି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ହସ ସମ୍ଭାଳି ପାରୁ ନାହାନ୍ତି। ଫେବ୍ରୁଆରି ପହିଲା ଦିନ ନିଜର ଜୁନିଅର୍‌ ମୋହିତ ପନ୍ତଙ୍କୁ ଏଇ ଅଫିସିଆଲ୍‌ ଚିଠିଟି ଲେଖିଛନ୍ତି ମୋରାଦାବାଦ ଇଲେକ୍ଟ୍ରିସିଟି ଅର୍ବାନ୍‌ ଟେଷ୍ଟ୍‍ ଡିଭିଜନ୍‌ର ମିଟର୍‌ ବିଭାଗର ସହକାରୀ ଯନ୍ତ୍ରୀ ସୁଶୀଳ କୁମାର। ଏଥିରେ ପୁଣି ରହିଛି ଅଫିସ୍‌ର ମୋହର। ଏହା ଯେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବ ସେ କଥା ଅବଶ୍ୟ ଚିଠିଟି ଲେଖିଲାବେଳେ ସେ ଜାଣି ନ ଥିଲେ।

କୁମାର ଚିଠିର ପ୍ରସଙ୍ଗ ସ୍ଥାନରେ ଲେଖିଥିଲେ: ଜାନୁଆରି ୨୩ ତାରିଖ ଦିନ ମାଗି ନେଇଥିବା ଦିଆଶିଲି ଖୋଳ ନ ଫେରାଇବା ବାବଦରେ।
ତା’ପରେ ସୁପରିଣ୍ଟେଣ୍ଡେଣ୍ଟ୍‌କୁ ମାର୍କ କରାଯାଇଥିବା ଏକ କପି ସହ ସେ ନିଜର ଅଫିସ୍‌ ଆସିଷ୍ଟାଣ୍ଟ୍‌ ପନ୍ତ୍‌ଙ୍କୁ ଲେଖିଛନ୍ତି: ମଶାଧୂପ ଜଳାଇବାକୁ ଅଫିସ୍‌ରେ ରଖାଯାଇଥିବା ଦିଆଶିଲି ଖୋଳଟିକୁ ଜାନୁଆରି ୨୩ ତାରିଖ ରାତି ୮ଟା ୪୦ ମିନିଟ୍‌ରେ ଆପଣ ମାଗି ନେଇ ଥିଲେ। ଏଥିରେ ୧୯ଟି କାଠି ଥିଲା। କିନ୍ତୁ, ଦୁଃଖର ବିଷୟ, ସପ୍ତାହେ ବିତି ଯିବା ସତ୍ତ୍ୱେ ତାହା ଫେରାଇଲେ ନାହିଁ। ଏଥି ଯୋଗୁଁ ବିଶେଷ କରି ସନ୍ଧ୍ୟା ବେଳେ କର୍ମଚାରୀମାନେ ବଡ଼ କଷ୍ଟ ପାଉ ଛନ୍ତି।

ସହକାରୀ ଯନ୍ତ୍ରୀ ତା’ପରେ ସେ ଲେଖିଥିଲେ: ଚିଠି ହସ୍ତଗତ ହେବାର ତିନି ଦିନ ମଧ୍ୟରେ ଉପରୋକ୍ତ ଦିଆଶିଲି ଖୋଳ ଫେରାଇ ଦିଆଯାଇଛି ବୋଲି ଆପଣ ସଦୟ ନିଶ୍ଚିତ ହେବାକୁ ନିର୍ଦେଶ ଦିଆଯାଉଛି। ଏହି ଝମ୍ବିଲାରୁ ଯେମିତି କୌଣସି ମୁକାବିଲାତ୍ମକ ପରିସ୍ଥିତି ନ ଉପୁଜେ ଏବଂ ସହକର୍ମୀମାନଙ୍କ ସହ ପାରସ୍ପାରିକ ବିଶ୍ୱାସ ବଜାୟ ରହେ ସେଥି ପ୍ରତି ଯେମିତି ନିଶ୍ଚିତ ରୁହନ୍ତି। ଏଥି ଯୋଗୁଁ କୌଣସି ଅବାଞ୍ଛିତ ପରିସ୍ଥିତି ଉପୁଜିଲେ ଆନୁଷ୍ଠାନିକ କାର୍ଯ୍ୟାନୁଷ୍ଠାନ ପାଇଁ ଆପଣ ସମ୍ପୂର୍ଣ୍ଣ ଦାୟୀ ରହିବେ।

ବରିଷ୍ଠମାନଙ୍କ ଉଦ୍ଦେଶ୍ୟରେ ପଠାଯାଇଥିବା ଚିଠିର ଏକ ଫର୍ମା ନିକଟରେ ଆମ ବିଭାଗରେ ଯୋଗ ଦେଇଥିବା ଜଣେ ଅଣତାଲିମପ୍ରାପ୍ତ କମ୍ପ୍ୟୁଟର୍‌ ଅପରେଟର୍‌ ମତେ ମାଗିଲେ। ଅନ୍ୟ କୌଣସି ସମସ୍ୟା ସଙ୍କ୍ରାନ୍ତରେ ମୁଁ ଚିଠିଟିଏ ଲେଖିବାକୁ ବସିଥିଲା ବେଳେ ହଠାତ୍‌ ପାଓ୍ଵାର୍‌କଟ୍‌ ଆରମ୍ଭ ହେଲା। ମହମବତି ଜଳାଇବାକୁ ମୁଁ ଦିଆଶିଲି ଖୋଳ ଖୋଜନ୍ତେ ମୋର ମନେପଡ଼ିଲା ସହକର୍ମୀ ମୋହିତ ପନ୍ତ ମତେ ସେଇଟା ଫେରାଇ ନାହାନ୍ତି। ମୁଁ ତା’ରି ଉପରେ ନମୁନା ଚିଠିଟି ଲେଖି ଥିଲି, କିନ୍ତୁ ପଠାଇ ନ ଥିଲି। ସେ ଯାହା ହେଉ, ଆମ ଅଫିସ୍‌ରେ କେହି ଜଣେ ତା’ର ଫଟୋ ଉଠାଇ ନେଇ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରି ଦେଇଛନ୍ତି ବୋଲି କୁମାର କହନ୍ତି।

ପନ୍ତ୍‌ କିନ୍ତୁ ଏଥିରେ ଆମୋଦିତ ହୋଇ ନ ଥିଲେ। ସେ କହନ୍ତି: ସହକର୍ମୀମାନେ ଫୋନ୍‌ କରିବାରୁ ଶୁକ୍ରବାର ସନ୍ଧ୍ୟାରେ ମୁଁ ଏ ଚିଠି ସଂକ୍ରାନ୍ତରେ ଜାଣିଲି। ପରେ ହ୍ଵାଟ୍‌ସ୍‌ ଆପ୍‌ରେ ସେ ଚିଠିର ଗୋଟିଏ କପି ମୁଁ ପାଇବା ପରେ ମୁଁ କୁମାର ସାର୍‌ଙ୍କ ସହ ଯୋଗାଯୋଗ କରିବାରୁ ସେ ମତେ ଅସଲ କଥାଟି ବୁଝାଇ ଦେଇ ଥିଲେ।

ସମ୍ବନ୍ଧିତ ଖବର