ମାତୃତ୍ୱ ସ୍କିମ୍‌:ଆଧାରକୁ ବାଧ୍ୟତାମୂଳକ କରନି: ହାଇକୋର୍ଟ

ନୂଆଦିଲ୍ଲୀ: ମାତୃତ୍ୱକାଳୀନ ସ୍କିମ୍‌ଗୁଡ଼ିକର ସୁବିଧା ପ୍ରଦାନ ଲାଗି ଆଧାର ଭଳି ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯିବା ଅନୁଚିତ। ଏହାଦ୍ୱାରା ଜଣେ ଯୋଗ୍ୟା ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବା ଆଶଙ୍କା ରହିଛି। ଦିଲ୍ଲୀ ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି। ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ରାଜ୍ୟର ମହିଳାଙ୍କୁ ଜନନୀ ସୁରକ୍ଷା ଯୋଜନା (ଜେଏସ୍‌ଓ୍ଵାଇ) ଅନ୍ତର୍ଗତ ଲାଭ ପ୍ରଦାନ ଲାଗି ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଫଳରେ ଏଯାବତ୍‌ ଆଧାରରେ ନାମାଙ୍କନ କରାଇ ନ ଥିବା ମହିଳାମାନେ ସମସ୍ୟାର ଶିକାର ହେଉଛନ୍ତି। ଏ ନେଇ ଚିନ୍ତାପ୍ରକଟ କରି ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍‌ ଓ ବିଚାରପତି ସି ହରି ଶଙ୍କରଙ୍କ ଖଣ୍ଡପୀଠ କହିଛନ୍ତି, ଅନ୍ତତଃ ଜେଏସ୍‌ଓ୍ଵାଇ ଭଳି ମାତୃତ୍ୱକାଳୀନ ସ୍କିମ୍‌ଗୁଡ଼ିକର ସୁବିଧା ଦେବା ଲାଗି ପ୍ରମାଣପତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଠିକ୍‌ ନୁହେଁ। ଏଥିପାଇଁ ରାଜ୍ୟ ସରକାର କାହାକୁ ବାଧ୍ୟ ନ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ସେହିଭଳି ଜନନୀ ସୁରକ୍ଷା ଭଳି ସ୍କିମ୍‌ଗୁଡ଼ିକ ସମ୍ପର୍କରେ ବ୍ୟାପକ ପ୍ରଚାର କରି ଏ ନେଇ ଲୋକଙ୍କୁ ସଚେତନ ନିମନ୍ତେ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର