ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ରହିଛି। ୧୨ଜଣଙ୍କ ମଧ୍ୟରେ ରହିଛନ୍ତି ମଙ୍ଗଳବାର ବିଜେପିରେ ଯୋଗ ଦେଇଥିବା ମୈଥିଲୀ ଠାକୁର। ତାଙ୍କୁ ଅଲୀନଗରରୁ ପ୍ରାର୍ଥୀ କରାଯାଇଛି।
ମୈଥିଲୀଙ୍କୁ ଅଲୀନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଡକ୍ଟର ସିଆରାମ ସିଂହଙ୍କୁ ବାଢ଼ରୁ, ପୂର୍ବତନ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରାଙ୍କ ବକ୍ସରରୁ, ହାୟାଘାଟରୁ ରାମ ଚନ୍ଦ୍ର ପ୍ରାସାଦଙ୍କୁ, ମୁଜଫରନଗରରୁ ରଞ୍ଜନ କୁମାରଙ୍କୁ, ଗୋପାଳଗଞ୍ଜରୁ ସୁବାଷ ସିଂହଙ୍କୁ, ବନିୟାପୁରରୁ କେଦାର ନାଥ ସିଂହଙ୍କୁ,ଛପରାରୁ ଛୋଟି କୁମାରୀଙ୍କୁ, ସୋନପୁରରୁ ବିନୟ କୁମାର ସିଂହଙ୍କୁ,ରୋସଡା(ଅଜାର)ରୁ ବିରେନ୍ଦ୍ର କୁମାରଙ୍କୁ, ଅଗିଆଓଁ(ଅଜା)ରୁ ମହେଶ ପାସୱାନଙ୍କୁ ଏବଂ ଶାହପୁରରୁ ରାକେଶ ଓଝାଙ୍କୁ ପ୍ରାର୍ଥୀ କରିଛି ବିଜେପି।
ବିଜେପି ତା’ର ପ୍ରଥମ ତାଲିକାରେ ମୋଟ ୭୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଆଜି ଦଳ ୧୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯାହା ଦ୍ୱାରା ଏପର୍ଯ୍ୟନ୍ତ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ଏନଡିଏ ଚୁକ୍ତି ଅନୁଯାୟୀ, ବିଜେପି ରାଜ୍ୟର ୨୪୩ ବିଧାନସଭା ଆସନ ମଧ୍ୟରୁ ୧୦୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଧ୍ୟ ୧୦୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।
ଆଜି ସକାଳେ ଜେଡିୟୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ, ଜେଡିୟୁ ସମସ୍ତ ଜାତିକୁ ଖୁସି କରିବାକୁ ଚେଷ୍ଟା କରିଥିବା ଦେଖାଯାଇଥିଲା। ସବୁଠୁ ବଡ଼ କଥା ହେଲା ଏହି ତାଲିକାରେ କୌଣସି ମୁସଲିମ୍ ପ୍ରାର୍ଥୀ ନାହାଁନ୍ତି ଏବଂ ୪ଜଣ ମହିଳାଙ୍କୁ ଟିକେଟ୍ ଦିଆଯାଇଛି।
Bihar | Assembly election