ଆଗ୍ରା : ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ମଥୁରା କୋର୍ଟ। ଆଜି ହୋଇଥିବା ଶୁଣାଣି ସମୟରେ ମଥୁରା କୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ମଥୁରା ସିନିୟର ଡିଭିଜନର ସିଭିଲ୍ ଜଜ୍ ଶାହି ଇଦଗାହର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦିଆଯାଇଛି।
ମଥୁରା କୋର୍ଟ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ଦାଖଲର ସମୟ ସୀମା ମଧ୍ୟ ସ୍ଥିର କରିଛନ୍ତି। ନିର୍ଦ୍ଦେଶରେ କୁହାଯାଇଛି ଯେ ଜାନୁଆରି ୨୦, ୨୦୨୩ସୁଦ୍ଧା ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ହେବ। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସିଭିଲ କୋର୍ଟ ନୋଟିସ ଜାରି କରିଛନ୍ତି। ଆବେଦନକାରୀ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ଉପରେ କୋର୍ଟ ଅମିନଙ୍କଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି।
ଉଲ୍ଲେଖଯାଗ୍ୟ, କୃଷ୍ଣ ଜନ୍ମଭୂମି ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳରେ ଶାହି ଇଦ୍ଗାହ ନିର୍ମାଣ ହୋଇଥିବାରୁ ଏହାକୁ ହଟାଇବାପାଇଁ ୧୧ରୁ ଅଧିକ ଆବେଦନ ହୋଇଥିବାବେଳେ କୋର୍ଟ ଏଥିରୁ ଗୋଟିଏ ଆବେଦନକୁ ଗ୍ରହଣ କରିଥିଲେ। ପ୍ରଥମ ଆବେଦନଟି ୨ ବର୍ଷ ପୂର୍ବେ ଲକ୍ଷ୍ନୌ ବାସିନ୍ଦା ରଂଜନା ଅଗ୍ନିହୋତ୍ରୀଙ୍କ ଦ୍ବାରା ହୋଇଥିଲା। କୃଷ୍ଣ ଜନ୍ମଭୂମିରେ ମଦଜିଦ୍ ନିର୍ମାଣ ହୋଇଛି ବୋଲି ପିଟିସନ୍ରେ ଦର୍ଶାଯାଇଥିଲା ଏବଂ ଆବେଦନକାରୀ ସମଗ୍ର ୧୩.୧୭ ଏକର ଜମିର ମାଲିକାନା ଦାବି କରିଥିଲେ। ମଥୁରା କୋର୍ଟ ପୂର୍ବରୁ କୃଷ୍ଣ ଜନ୍ମଭୂମି ମକଦ୍ଦମାକୁ ଖାରଜ କରିଦେଇଥିଲେ ।
କିନ୍ତୁ ଆବେଦନକାରୀମାନେ ପୁନର୍ବାର ଆବେଦନ କରି କହିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ଭାବରେ ସେମାନଙ୍କର ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରକୃତ ଜନ୍ମସ୍ଥାନରେ ପୂଜା କରିବାର ଅଧିକାର ଅଛି। କୃଷ୍ଣ ଜନ୍ମଭୂମି ଉପରେ ମୋଗଲ ଶାସକ ଔରଙ୍ଗଜେବ୍ ଇଦଗାହ ନିର୍ମାଣ କରିଥିଲେ ବୋଲି ଦାବି କରାଯାଇଛି।