ମଥୁରା: କୃଷ୍ଣ ଜନ୍ମଭୂମି-ଶାହି ଇଦଗା ମାମଲାରେ ବିବାଦୀୟ ସ୍ଥଳର ସର୍ଭେ କରାଇବା ପାଇଁ ଆଗତ ପିଟିସନ ଉପରେ ମଥୁରାର ସ୍ଥାନୀୟ କୋର୍ଟ ଶନିବାର ରାୟ ଶୁଣାଇଛନ୍ତି। ହିନ୍ଦୁ ସେନାର ପିଟିସନ ଉପରେ ଶୁଣାଣି କରି କୋର୍ଟ ଜ୍ଞାନବାପି ମସଜିଦ ପରି ଉକ୍ତ ସ୍ଥାନର ସର୍ଭେ କରାଇବାକୁ ଆଦେଶ ଦେଇଛନ୍ତି। ଏହି ମର୍ମରେ କୋର୍ଟ ଉଭୟ ପକ୍ଷକୁ ନୋଟିସ୍ ଜାରି କରି ଆଦେଶ ପାଳନ କରିବାକୁ କହିଛନ୍ତି।
କୋର୍ଟଙ୍କ ଆଦେଶ ଅନୁସାରେ ସର୍ଭେ ଶେଷ କରି ଜାନୁଆରି ୨୦ ତାରିଖରେ କୋର୍ଟରେ ରିପୋର୍ଟ ଉପସ୍ଥାପନ କରିବାକୁ ହେବ। ଜ୍ଞାନବାପି ମସଜିଦ ସମ୍ପର୍କରେ ବାରାଣସୀ କୋର୍ଟ ଯେଭଳି ଆଦେଶ ଦେଇଥିଲେ ସେହିପରି ଶାହି ଇଦଗାର ଭିଡିଓଗ୍ରାଫିକ୍ ସର୍ଭେ କରାଇବାକୁ କୋର୍ଟ କହିଛନ୍ତି। ଡିସେମ୍ବର ୮ ତାରିଖରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତ ଓ ଉପାଧ୍ୟକ୍ଷ ସୁରଜିତ ସିଂହ ଯାଦବ ଦାବି କରିଥିଲେ ଯେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ କୃଷ୍ଣ ଜନ୍ମଭୂମି ମନ୍ଦିରକୁ ଭଙ୍ଗାଯାଇ ମନ୍ଦିରର ୧୩.୩୭ ଏକର ଜାଗାରେ ଇଦଗା ନିର୍ମାଣ କରାଯାଇଛି।