ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ ଏବଂ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ଦରମା ଋତୁସ୍ରାବ ଛୁଟି ପାଇବେ, ଯାହାକି ବର୍ଷରେ ମୋଟ ୧୨ ଦିନ ହେବ।
ତେବେ ଏପରି କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ନୁହେଁ, ବରଂ ଦେଶର ୪ର୍ଥ ରାଜ୍ୟ । ପୂର୍ବରୁ ବିହାର, କେରଳ, ଓଡ଼ିଶା ମାସିକ ଋତୁସ୍ରାବ ଛୁଟି ଘୋଷଣା କରିସାରିଛନ୍ତି । ଦେଶର ପ୍ରଥମ ରାଜ୍ୟଭାବେ ବିହାର ୧୯୯୨ ମସିହାରେ ଏପରି ନୀତି ଘୋଷଣା କରିଥିଲା । ସେତେବେଳେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏହାର ବହୁ ବର୍ଷ ଧରି ଦେଶର ଅନ୍ୟ କୌଣସି ରାଜ୍ୟ ଏପରି ନୀତି ଘୋଷଣା କରିନଥିଲେ । ୨୦୨୩ରେ କେରଳ ଦେଶର ୨ୟ ରାଜ୍ୟଭାବେ ଏପରି ନୀତି ଘୋଷଣା କରିଥିଲା । ଗତ ବର୍ଷ ଅର୍ଥାତ୍ ୨୦୨୪ରେ ଓଡ଼ିଶାର ମୋହନ ସରକାର ଏପରି ନୀତି ଘୋଷଣା କରିଥିଲେ । କିନ୍ତୁ ଘରୋଇ କ୍ଷେତ୍ରରେ ଏହି ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ।
ଏହି ନିଷ୍ପତ୍ତି ସଂପର୍କରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି, "ମହିଳାମାନେ ବହୁତ ଚାପରେ ଅଛନ୍ତି। ତେଣୁ, ଯେଉଁ ମହିଳାମାନେ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା କାମ କରନ୍ତି, ସେମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଗୋଟିଏ ଦିନ ଛୁଟି ଦିଆଯିବା ଉଚିତ। ଆମେ ଏକ ପ୍ରଗତିଶୀଳ ପଦକ୍ଷେପ ନେବାକୁ ଚାହୁଁଥିଲୁ, ଏବଂ ତେଣୁ ମହିଳାଙ୍କୁ ଗୋଟିଏ ଦିନ ଛୁଟି ଦେବାର ନିଷ୍ପତ୍ତି ନିଆଯାଇଛି।"