ଆଉ ଏକ ଅଡିଓ ବାର୍ତ୍ତା ଜାରି କରି ରମଜାନରେ ଘରେ ରହି ଆଲ୍ହାଙ୍କୁ ଡାକ ବୋଲି କହିଲେ ତାବିଲିଗି ମୁଖ୍ୟ ମୌଲାନା ସାଦ୍
ନୂଆଦିଲ୍ଲୀ: ମାର୍କାଜ୍ ମୁଖ୍ୟ ମୌଲାନା ସାଦ୍ ରମଜାନ ପୂର୍ବରୁ ଆଉ ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ଅଡିଓ ବାର୍ତ୍ତାରେ ମୌଲାନା ସାଦ୍ କରୋନାଭାଇରସକୁ “ଭଗବାନ ପଠାଇଥିବା ରୋଗ” ବୋଲି କହିଛନ୍ତି। ଏହା ସହ ଘରୁ ରମଜାନ ପାଇଁ ଇବାଦତ କରିବାକୁ ସେ ମୁସଲମାନମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ରମଜାନର ବିଶେଷ ପ୍ରାର୍ଥନା ପାଇଁ ମସଜିଦ ଯିବାର ଆବଶ୍ୟକତା ନାହିଁ। ଲକଡାଉନ୍ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ ସାହାଯ୍ୟ କରିବାକୁ ସେ ମୁସଲମାନମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଏକ ଅଡିଓ ବାର୍ତ୍ତା ଜାରି କରି ଡାକ୍ତରଙ୍କ ଉପଦେଶକ୍ରମେ ଏକାନ୍ତବାସରେ ରହିଛନ୍ତି ବୋଲି ସେ ନିଜ ମୁସଲିମଭାଇମାନଙ୍କୁ ଜଣାଇଥିଲେ | ଏହା ସହ ଅନ୍ୟ ମୁସଲିମଭାଇମାନଙ୍କୁ ମଧ୍ୟ ଏକାନ୍ତବାସରେ ରହିବାକୁ ସେ ଅଡିଓ ବାର୍ତ୍ତାରେ କହିଥିଲେ | ସୂଚନା ମୁତାବକ, ତାବିଲିଗି ମୁଖ୍ୟ ମୌଲାନା ସାଦ୍ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ବଙ୍ଗଲାୱାଲି ମସଜିଦରେ ଗତ ମାସରେ ଧାର୍ମିକ ସମାରୋହ କରାଇ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ବହୁସଂଖ୍ୟକ ଅନୁଗାମୀ ଅଂଶଗ୍ରହଣ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରେ ଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଅନେକ ବ୍ୟକ୍ତି କରୋନାଭାଇରସ୍ ସଂକ୍ରମଣ ହୋଇଥିଲେ । ଆଜି ଦେଶରେ ଏହି ଧାର୍ମିକ ସମାରୋହରେ ଯୋଗ ଦେଇଥିବା ବହୁସଂଖ୍ୟକ ଅନୁଗାମୀ କରୋନା ଆକ୍ରାନ୍ତ ହୋଇଛନ୍ତି |