ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ମାର୍ଚ୍ଚ ୯ରେ ମାଳଦୀପ ଗସ୍ତରେ ଯାଇ କଲମ୍ବୋ ସିକ୍ୟୁରିଟି କନକ୍ଲେଭ୍(ସିଏସସି)ରେ ଭାଗ ନେଇଛନ୍ତି। ଭାରତ, ମାଳଦୀପ ଓ ଶ୍ରୀଲଙ୍କା ଏହି ଗ୍ରୁପରେ ପୂର୍ବରୁ ଅଛନ୍ତି। ଏବେ ଏହି ଗ୍ରୁପରେ ମରିସସ୍ ବି ସ୍ଥାନ ପାଇଛି। ଏଣୁ ଭାରତ ମହାସାଗରରେ ବି ଏକ କ୍ଵାଡ୍ ଗ୍ରୁପ୍ ଗଠିତ ହୋଇଛି। ଭାରତ, ମାଳଦୀପ, ଶ୍ରୀଲଙ୍କା ଓ ମରିସସ୍ ଏକାଠି ହୋଇଛନ୍ତି।

Advertisment

କଲମ୍ବୋ ସିକ୍ୟୁରିଟି କନକ୍ଲେଭର ବୈଠକରେ ବାଂଲାଦେଶ, ସେସେଲ୍ସ ଓ ମରିସସ ଭଳି ଦେଶ ଅନେକ ଥର ପର୍ଯ୍ୟବେକ୍ଷକ ଭୂମିକାରେ ନଜର ଆସିଥିଲେ। ଏବେ ମରିସସକୁ ଏହି ଗ୍ରୁପରେ ସଦସ୍ୟଭାବେ ଗ୍ରହଣ କରାଯାଇଛି, ବାଂଲାଦେଶ ଓ ସେସେଲ୍ସ ପର୍ଯ୍ୟବେକ୍ଷକ ଭମିକାରେ ଥିଲେ। ସୂଚନା ଅନୁସାରେ ମରିସସ୍ ପରେ ଏହି ଗ୍ରୁପରେ ବାଂଲାଦେଶ ଓ ସେସେଲ୍ସ ଭଳି ଦେଶ ନୂଆ ସଦସ୍ୟ ଯୋଗ ଦେଇପାରନ୍ତି। ସିଏସସିର ଚତୁର୍ଥ ବୈଠକ ୨୮ ନଭେମ୍ବର ୨୦୨୦ରେ କଲମ୍ବୋରେ ହୋଇଥିଲା ଯେଉଁଠି ତିନି ଦେଶ ଏହି ସଙ୍ଗଠନକୁ ସଂପ୍ରସାରଣ କରିବାକୁ ରାଜି ହୋଇଥିଲେ। ଖବର ଅନୁସାରେ କଲକ୍ଲେଭର ଆଗାମୀ ବୈଠକ ଭାରତରେ ଡେପୁଟି ଏନସଏ ସ୍ତରରେ ହେବାକୁ ଅଛି।

ଭାରତ, ମାଳଦୀପ ଓ ଶ୍ରୀଲଙ୍କା ମିଶି ୨୦୧୧ରେ କଲମ୍ବୋ ସିକ୍ୟୁରିଟି କନକ୍ଲେଭର ଆରମ୍ଭ କରିଥିଲେ। ଏହି କନକ୍ଲେଭର ଉଦ୍ଦେଶ୍ୟ ଭାରତ ମହାସାଗରର ତିନି ଦେଶ ମଧ୍ୟରେ ସାମୁଦ୍ରିକ ଓ ସୁରକ୍ଷା ବିଷୟରେ ଘନିଷ୍ଠ ସଙ୍ଗଠନ ବନେଇବା। ଶ୍ରୀଲଙ୍କାର ବର୍ତ୍ତମାନର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ୨୦୧୧ରେ ଯେତେବେଳେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ସେତେବେଳେ ସେ ଏହି କନକ୍ଲେଭକୁ ଆରମ୍ଭ କରିବାକୁ ତୀବ୍ର ଇଛ୍ଛା ଦେଖାଇଥିଲେ।
ଭାରତ ପାଇଁ ମାଳଦୀପ, ଶ୍ରୀଲଙ୍କା ଓ ମରିସସ ଭଳି ଦେଶ ଗୁରୁତ୍ଵପୂର୍ଣ୍ଣ। ଗତ କିଛି ବର୍ଷରେ ଭାରତ ମହାସାଗର ଓ ଏହାର ଆଖପାଖ ଅଞ୍ଚଳରେ ଚୀନର ବଢୁଥିବା ପ୍ରଭାବକୁ ନଜରରେ ରଖି ଭାରତ ପାଇଁ ଭାରତ ମହାସାଗର ମହତ୍ତ୍ଵ ବଢିଯାଇଛି।