ଜୀବିତ ନବଜାତ ଶିଶୁକୁ ମୃତ ଘୋଷଣା କରିଥିବା ଦୁଇ ଡାକ୍ତରଙ୍କୁ ବହିଷ୍କାର କଲା ମ୍ୟାକ୍ସ ହସ୍‌ପିଟାଲ୍‌

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ଭୁଲ୍‌କ୍ରମେ ମୃତ ବୋଲି ଘୋଷଣା କରାଯାଇଥିବା ମାମଲାରେ ସମ୍ପୃକ୍ତ ଦୁଇ ଡାକ୍ତରଙ୍କୁ ମ୍ୟାକ୍‌ସ୍‌ ହେଲ୍‌ଥ୍‌କେୟାର୍‌ ହସ୍‌ପିଟାଲ୍‌ ବହିଷ୍କାର କରାଯାଇଛି।

ଡାକ୍ତରଖାନାର କର୍ତ୍ତୃପକ୍ଷମାନଙ୍କର ଏକ ବୈଠକ ବସିବା ପରେ ଡାକ୍ତର ଏ ପି ମେହଟା ଏବଂ ଡାକ୍ତର ବିଶାଳ ଗୁପ୍ତଙ୍କୁ ତୁରନ୍ତ ଚାକିରୁ ବହିଷ୍କାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କର ଅବହେଳା ଯୋଗୁଁ ଜଣକ ଜୀବନ ବିପନ୍ନ ହେବାକୁ ଯାଉଥିଲା ବୋଲି କୁହାଯାଇଛି।

ଶାଲିମାର ବାଗ୍‌ର ମ୍ୟାକ୍‌ସ୍‌ ସୁପର୍‌ ସ୍ପେସିଆଲିଟି ହସ୍‌ପିଟାଲ୍‌ରେ ଜନ୍ମ ହୋଇଥିବା ଯାଅାଁଳା ଶିଶୁଙ୍କୁ ସେଠାକାର ଦୁଇ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଶିଶୁ ଦୁଇଟିଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ୍‌ରେ ରଖାଯାଇ ପରିବାର ବର୍ଗଙ୍କୁ ଦିଆଯାଇଥିଲା।

ଦୁଇ ମୃତ ଘୋଷିତ ଶିଶୁଙ୍କୁ ପରିବାର ଲୋକେ ମଶାଣିକୁ ନେବାବାଟରେ ଗୋଟିଏ ବ୍ୟାଗ୍‌ରେ କିଛି ହଲଚଲ ହେଉଥିବାର ଜାଣିପାରିଲେ। ଦେଖିଲା ବେଳକୁ ସେଥିରେ ଥିବା ପିଲାଟି ଜିଇଁଛି।

ତୁରନ୍ତ ସେ ଶିଶୁକୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ପିଲାର ପରିବାର ମ୍ୟାକ୍ସ୍‍ ହସ୍‌ପିଟାଲ୍‌ ବିରୋଧରେ ଏକ ଅଭିଯୋଗ ଦାଏର କରିଥିଲେ।

ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ର ସଦସ୍ୟମାନଙ୍କ ନେଇ ଗଠିତ ଏକ ଟିମ୍‌ ଏବଂ ହସ୍‌ପିଟାଲ୍‌ର ଡାକ୍ତରମାନଙ୍କର ର ରିପୋର୍ଟ ଏ ଯାଏଁ ଦାଖଲ ହୋଇ ନାହିଁ।

ଶନିବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଥିଲେ କି ଆବଶ୍ୟକ ହେଲେ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବ। ମ୍ୟାକ୍ସ ହସ୍‌ପିଟାଲ୍‌ର ଲାଇସେନ୍‌ସ୍‌ ରଦ୍ଦ କରାଯିବ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏ ମାମଲାର ଏକ ସବିଶେଷ ବିବରଣୀ ମାଗିଛନ୍ତି।

ସମ୍ବନ୍ଧିତ ଖବର