ସିଙ୍ଗାପୁରରୁ ଆସିଛି ସର୍ବାଧିକ ଏଫ୍‌ଡିଆଇ, କର୍ଣ୍ଣାଟକ ପାଇଛି ସବୁଠୁ ଅଧିକ

ନୂଆଦିଲ୍ଲୀ : ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଭଲ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତକୁ ରେକର୍ଡ ୮୪.୮୩ ବିଲିଅନ ଡଲାର ମୂଲ୍ୟର ଏଫ୍‌ଡିଆଇ ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ଏହା ୨.୮୭ ବିଲିଅନ ଡଲାର ଅଧିକ ବୋଲି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅଙ୍କଟାଡ ବିଶ୍ବ ନିବେଶ ରିପୋର୍ଟ ୨୦୨୨କୁ ଆଧାର କରି ବାଣିଜ୍ୟ ମନ୍ତ୍ରାଳୟ କହିଛି ଭାରତକୁ ସିଙ୍ଗାପୁରରୁ ସର୍ବାଧିକ ବା ୨୭.୦୧ ପ୍ରତିଶତ ଏଫ୍‌ଡିଆଇ ଆସିଛି। ଏହା ପଛକୁ ଯଥାକ୍ରମେ ଆମେରିକା (୧୭.୯୪ ପ୍ରତିଶତ), ମରିସସ୍‌ (୧୫.୯୮ ପ୍ରତିଶତ), ନେଦରଲାଣ୍ଡ (୭.୮୬ ପ୍ରତିଶତ) ଏବଂ ସ୍ବିଜରଲାଣ୍ଡ (୭.୩୧ ପ୍ରତିଶତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ଏଫ୍‌ଡିଆଇ ଆକୃଷ୍ଟ କରିବା କ୍ଷେତ୍ରରେ ଭାରତ ଗୋଟିଏ ପାହାଚ ଉପରକୁ ଉଠି ୨୦୨୧ ମସିହାରେ ବିଶ୍ବର ଶୀର୍ଷ ୨୦ ଦେଶ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି। ବିଭିନ୍ନ କ୍ଷେତ୍ରକୁ ଦେଖିଲେ ମାନୁଫାକଚରିଂରେ ୨୧.୩୪ ବିଲିଆନ ଡଲାର ଏଫ୍‌ଡିଆଇ ଆସିଛି। ପୂର୍ବ ବର୍ଷ ତୁଳନାରେ ଅଧିକ ୭୬ ପ୍ରତିଶତ ଏଫ୍‌ଡିଆଇ ଭାରତକୁ ଏ କ୍ଷେତ୍ରରେ ଆସିଛି। କିନ୍ତୁ ଭାରତକୁ ସର୍ବାଧିକ ‌ଏଫ୍‌ଡିଆଇ କମ୍ପ୍ୟୁଟର ସଫ୍ଟୱେର ଓ ହାର୍ଡୱେର କ୍ଷେତ୍ରକୁ (୨୪.୬୦ ପ୍ରତିଶତ) ଆସିଛି। ଏହା ପଛକୁ ସେବା କ୍ଷେତ୍ର (୧୨.୧୩ ପ୍ରତିଶତ) ଦ୍ବତୀୟ ଏବଂ ଅଟୋମୋବାଇଲ ଶିଳ୍ପ (୧୧.୮୯ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛି। ତେବେ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକକୁ ସର୍ବାଧିକ ୩୭.୫୫ ପ୍ରତିଶତ ଏଫ୍‌ଡିଆଇ‌ ଆସିଛି। ଏହା ପଛକୁ ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଛି। ମହାରାଷ୍ଟ୍ରକୁ ୨୬.୨୬ ପ୍ରତିଶତ ଏଫ୍‌ଡିଆଇ ଆସିଛି। ଦିଲ୍ଲୀ ୧୩.୯୩ ପ୍ରତିଶତ ଏଫ୍‌ଡିଆଇ ସହିତ ତୃତୀୟ, ତାମିଲନାଡ଼ୁ ଚତୁର୍ଥ (୫.୧୦ ପ୍ରତିଶତ) ଏବଂ ହରିୟାଣା ପଞ୍ଚମ (୪.୭୬ ପ୍ରତିଶତ) ସ୍ଥାନରେ ରହିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତକୁ ୯୭ଟି ଦେଶରୁ ଏଫ୍‌ଡିଆଇ ଆସିଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୧ଟି ଦେଶରୁ ଏଫ୍‌ଡିଆଇ ଆସିଛି।

ସମ୍ବନ୍ଧିତ ଖବର