୧୦୨ ଦିନ‌ରେ ସର୍ବାଧିକ: ଦିନକରେ ୩୫,୮୭୧ ସଂକ୍ରମଣ

ଦେଶରେ ୪୦୦ ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍‌, ବ୍ରିଟେନ୍‌ ଷ୍ଟ୍ରେନ୍, ୩.୮୯ କୋଟି ଲୋକଙ୍କ ଟିକାକରଣ‌

ନୂ୍ଆଦିଲ୍ଲୀ : ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବା ପାଇଁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ ହୋଇଛି। କିନ୍ତୁ ପ୍ରତ୍ୟେକ ଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୫,୮୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ବିଗତ ୧୦୨ ଦିନରେ ସର୍ବାଧିକ । ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ୬ ତାରିଖରେ ଦେଶରେ ସର୍ବାଧିକ ସଂକ୍ରମଣ ୩୬,୦୧୧ ଥିଲା। ଲଗାତାର ୮ ଦନି ଧରି ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ମୋଟ୍‌ ସଂକ୍ରମଣ ମାମଲା ୧,୧୪,୭୪,୬୦୫କୁ ବୃଦ୍ଧି ପାଇଛି ଏବଂ ସକ୍ରିୟ ମାମଲା ୨,୫୨,୩୬୪ ରହିଛି। ଅନ୍ୟପକ୍ଷେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୭୨ ଜଣଙ୍କ ମୃତ୍ୟୁ ‌‌ହୋଇଛି। ମୃତ୍ୟୁସଂଖ୍ୟା ମଧ୍ୟ ୧,୫୯,୨୧୬ରେ ପହଞ୍ଚିଛି।

ସଂକ୍ରମଣ ବଢ଼ିବାରୁ ଦେଶରେ ଟେଷ୍ଟିଂ ବୃଦ୍ଧି ହୋଇଛି। ମାର୍ଚ୍ଚ ୧୭ ସୁଦ୍ଧା ଦେଶରେ ମୋଟ୍‌ ୨୩,୦୩,୧୩,୧୬୩ ନମୁନା ପରୀକ୍ଷା ହୋଇଛି। କେବଳ ବୁଧବାର ଦିନ ୧୦,୬୩,୩୭୯ ନମୁନା ପରୀକ୍ଷା ହୋଇଛି। ମହାରାଷ୍ଟ୍ର ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ସର୍ବାଧିକ ୨୩,୧୭୯ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୨୩,୭୦,୫୦୭କୁ ବୃଦ୍ଧି ପାଇଛି। ଦେଶରେ ଆଜି ସୁଦ୍ଧା ୩.୭ କୋଟିରୁ ଅଧିକ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଥିବା ବେଳେ ବିଗତ ୨୪ ଘଣ୍ଟାରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ୪୦୦ ଜଣ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ କରୋନା ପ୍ରଜାତି ଭୂତାଣୁରେ ସଂକ୍ରମିତ। ଗତ ୪ ତାରିଖରେ ଦେଶରେ ଏହି ୩ କରୋନା ପ୍ରଜାତିରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୨୪୨ ଥିଲା। ତେବେ ୨ ସପ୍ତାହରେ ଏହି ସଂଖ୍ୟା ୧୫୮କୁ ବୃଦ୍ଧି ହୋଇଛି। ସଂକ୍ରମଣ ବଢ଼ିବାରୁ ଉତ୍ତରପ୍ରଦେଶ ସରକାର ଆଜି ଏକ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ଯୋଗୀ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ପଂଜାବରେ ୯ ଜିଲ୍ଲା ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲି, ଅମୃତସର, ଗୁରୁଦାସପୁର, ହୋସିଆରପୁର, କପୁରତାଲା‌, ରୋପାରରେ ନାଇଟ୍‌ କର୍ଫ୍ୟୁ ସମୟ ବୃଦ୍ଧି କରାଯାଇଛି। ଉପରୋକ୍ତ ଜିଲ୍ଲାମାନଙ୍କରେ ପୂର୍ବରୁ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହୋଇଥିଲା। କିନ୍ତୁ ଆଜିଠାରୁ ଉକ୍ତ ଜିଲ୍ଲାମାନଙ୍କରେ ରାତି ୯ରୁ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ଉକ୍ତ ଜିଲ୍ଲାମାନଙ୍କରେ ଦୈନିକ ପଜିଟିଭ୍‌ ମାମଲା ୧୦୦ରୁ ଅଧିକ ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ୟୁରୋପ୍‌ରେ ବଢ଼ୁଛି ସଂକ୍ରମଣ, ୯ ଲକ୍ଷରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଲଗାତାର ୩ ସପ୍ତାହ ଧରି କେନ୍ଦ୍ରୀୟ ୟୁରୋପ୍‌ରେ ସଂକ୍ରମଣ ବୃଦ୍ଧି ପାଇଛି। ୨୦୨୦ର ପ୍ରଥମ ୬ ମାସ‌ରେ ଏହି ରାଷ୍ଟ୍ରଗୁଡ଼ିକ ସଂକ୍ରମଣକୁ ଭଲଭାବେ ରୋକିପାରିଥିଲେ। କିନ୍ତୁ ଚଳିତ ଥରର ସଂକ୍ରମଣ ଅତ୍ୟନ୍ତ ବିପଜ୍ଜନକ ହୋଇଛି। କେନ୍ଦ୍ରୀୟ ୟୁରୋପ୍‌ର ବାଲ୍‌କନ୍‌ ଏବଂ ବାଲ୍‌ଟିକ୍‌ ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ମାମଲା, ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତ ଚିକିତ୍ସିତଙ୍କ ସଂଖ୍ୟା ଏବଂ କରୋନା ମୃତ୍ୟୁସଂଖ୍ୟା ବିଶ୍ବରେ ସର୍ବାଧିକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ କୁହାଯାଇଛି। ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ୟୁରୋପ୍‌ରେ ୧.୨ ନିୟୁତରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେହିପରି ଗତ ସପ୍ତାହରେ ୟୁରୋପ୍‌ରେ କରୋନା ମୃତ୍ୟୁ ୯ ଲକ୍ଷ ଟପିଛି ବୋଲି ‘ହୁ’ର ୟୁରୋପ୍‌ ମୁଖ୍ୟ ହାନ୍‌ସ କ୍ଲୁଗେ କହିଛନ୍ତି।

 

ସମ୍ବନ୍ଧିତ ଖବର