ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ କ୍ଷମତା ସଂଗ୍ରାମର ଏକ ପୁରୁଣା କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କ ସହ ୯୨ ବିଧାୟକଙ୍କ ସମର୍ଥନ ଥିବାର କୁହାଯାଉଛି। କୁହାଯାଉଛି ଯେ ଏଭଳି ପରିସ୍ଥିତିରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହଜ ହେବ ନାହିଁ। ତେବେ ଦିନେ ରାଜସ୍ଥାନରେ ୮୭ ଜଣ ବିଧାୟକଙ୍କ ସମର୍ଥନ ସତ୍ତ୍ୱେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ଛାଡିବାକୁ ପଡିଥିଲା । ୧୯୮୮ ମସିହାରେ ଏହା ଘଟିଥିଲା, ଯେତେବେଳେ ହରିଦେବ ଯୋଶୀଙ୍କୁ ମାତ୍ର ୨୫ ଜଣ ବିଧାୟକ ସମର୍ଥନ କରୁଥିବା ଶିବଚରଣ ମାଥୁରଙ୍କ ପାଇଁ ଆସନ ଛାଡିବାକୁ ପଡିଥିଲା। ବର୍ତ୍ତମାନ ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ପାଇଲଟ ୧୯୮୮ ର ସେହି ଇତିହାସକୁ ପୁନରାବୃତ୍ତି କରିବାକୁ ସକ୍ଷମ ହେବେ କି? ହରିଦେବ ଯୋଶୀ ୧୯୮୮ ମସିହାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ଅଶୋକ ଗେହଲୋଟ୍ ରାଜସ୍ଥାନ କଂଗ୍ରେସର ରାଜ୍ୟ ସଭାପତି ଥିଲେ।
ରାଜୀବ ଗାନ୍ଧୀଙ୍କ ସରକାର କେନ୍ଦ୍ରରେ ଥିଲେ। ସେତେବେଳେ ରାଜସ୍ଥାନରୁ ସାଂସଦ ଭାବେ ରାଜେଶ ପାଇଲଟ, ସର୍ଦ୍ଦାର ବୁଟା ସିଂ, ବଳରାମ ଜାଖର ପ୍ରମୁଖ ଥିଲେ | ଆଉ ଏହି ସାଂସଦମାନଙ୍କର ଅଶୋକ ଗେହଲୋଟ୍ ଏବଂ ଶିବଚରଣ ମାଥୁରଙ୍କ ସହ ଭଲଭାବେ ସମ୍ପର୍କ ଥିଲା ଏବଂ ସେମାନେ ହରିଦେବ ଯୋଶୀଙ୍କୁ ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ୧୯୮୬-୮୭ ମସିହାରେ ରାଜସ୍ଥାନରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଶୀ ଯେଭଳି ପରିଚାଳନା କରିଥିଲେ ସେଥିରେ ରାଜୀବ ଗାନ୍ଧୀ ଖୁସି ନଥିଲେ।
ଏଥିପାଇଁ ସେ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେତେବେଳେ ଯୋଶୀ କ୍ୟାମ୍ପ ଦାବି କରିଥିଲେ ଯେ ସେମାନଙ୍କ ପାଖରେ ୮୭ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏଥିସହିତ ଶିବଚରଣ ମାଥୁର, ଯାହାଙ୍କର ନାମ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା ହୋଇଥିଲା, ତାଙ୍କ ସପକ୍ଷରେ କେବଳ ୨୫ ଜଣ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଥିଲା। ଏହା ସତ୍ତ୍ୱେ, ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶିବଚରଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଯୋଶୀ ଆସାମର ରାଜ୍ୟପାଳ ପଦ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ୧୯୮୮ରେ କେନ୍ଦ୍ରରେ ରାଜୀବ ସରକାର ଥିବାରୁ ବିଧାୟକମାନେ ସହଜରେ ରାଜି ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏହି କାହାଣୀ ଏତେ ସହଜ ମନେ ହେଉନାହିଁ |