ନୂଆଦିଲ୍ଲୀ: ମେ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୫୭ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମେ ୨୦୨୨ ତୁଳନାରେ ୧୨ ପ୍ରତିଶତ ଅଧିକ । କିନ୍ତୁ ଏପ୍ରିଲ  ୨୦୨୩ରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ସଂଗ୍ରହ ତୁଳନାରେ ଏହା ୧୭ ପ୍ରତିଶତ କମ । ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଏହି ତଥ୍ୟ ଜାରି କରିଛି ।

Advertisment

ମେ ମାସରେ ମୋଟ ଜିଏସଟି ଆଦାୟ ମଧ୍ୟରେ ୨୮,୪୧୧ କୋଟି ଟଙ୍କାର ସିଜିଏସଟି, ୩୫୮୨୮ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୧୩୬୩ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଉପରେ ଆମଦାନୀରୁ ଆଦାୟ ହୋଇଥିବା ୪୧,୭୭୨ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ । ଏଥିରେ ୧୧,୪୮୯ କୋଟି ଟଙ୍କା ସେସ୍ ଅନ୍ତର୍ଭୁକ୍ତ, ଯେଉଁଥିରୁ ୧୦୫୭ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ମେ ମାସରେ ଓଡ଼ିଶାରେ ୪୩୯୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି, ଯାହାକି ମେ ୨୦୨୨ରେ ୩୯୫୬ କୋଟି ଟଙ୍କା ଥିଲା । ଏଣୁ ଗତ ଆର୍ଥିକ ବର୍ଷର ମେ ମାସ ତୁଳନାରେ ମେ ୨୦୨୩ରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୧ ପ୍ରତିଶତ ବୃଦ୍ଧି ପାଇଛି ।

କରୋନା ମହାମାରୀ ସମୟରେ ଦେଶରେ ଜିଏସଟି ଆଦାୟ ଗୁରୁତରଭାବେ ହ୍ରାସ ପାଇଥିଲା । କିନ୍ତୁ ମହାମାରୀ ହଟିବା ପରେ ଦେଶର ଜିଏସଟି ଆଦାୟ ନିୟମିତଭାବେ ବଢିଚାଲିଛି ।