ରାହୁଲଙ୍କ ଉପରେ ବର୍ଷିଲେ ମାୟାବତୀ

ସବୁ ପ୍ରତିଶ୍ରୁତି ସ୍ଲୋଗାନ୍‌ରେ ସୀମିତ

ନୂଆଦିଲ୍ଲୀ : ବିଜେପି ଭଳି କଂଗ୍ରେସ ଦଳ କେବଳ ପ୍ରତିଶ୍ରୁତି ଦେଇଜାଣିଛି , କିନ୍ତୁ ପ୍ରତିଶ୍ରୁତି ପୂରଣ କରିବାର ଶିଖିନାହିଁ। ବିଏସ୍‌ପି ସୁପ୍ରିମୋ ମାୟାବତୀ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଦେଶରୁ ଦାରିଦ୍ରୢ ହଟାଇବା ପାଇଁ କଂଗ୍ରେସ ନେତାମାନେ ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ସେହି ଏକା ସ୍ଲୋଗାନ ଦେଉଛନ୍ତି ଏବଂ ସେମାନଙ୍କ କାମ କେବଳ ସ୍ଲୋଗାନରେ ହିଁ ସୀମିତ ରହୁଛି। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଏବଂ କଂଗ୍ରେସ ଦ୍ବାରା ଏଯାବତ୍‌ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା କାହିଁକି ପୂରଣ ହୋଇନାହିଁ ବୋଲି ମାୟାବତୀ ପ୍ରଶ୍ନ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ସର୍ବନିମ୍ନ ଆୟ ଗ୍ୟାରେଣ୍ଟି’କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ‘ଗରିବି ହଟାଓ’ ପ୍ରତିଶ୍ରୁତି ଏବଂ ବର୍ତ୍ତମାନର ସରକାରଙ୍କ ଅଛେ ଦିନ୍‌ ପ୍ରତିଶ୍ରୁତି ବି ମିଛ। ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ପ୍ରମାଣ କରିଦେଇଛନ୍ତି ଯେ ସେମାନେ ଗୋଟିଏ ମୂଦ୍ରାର ଦୁଇ ପାର୍ଶ୍ବ ଭଳି। ଉଲ୍ଲେଖଯୋଗ୍ୟ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡ଼ରେ ଏକ ରୢାଲିରେ କହିଥିଲେ ଯେ କଂଗ୍ରେସ ଯଦି ୨୦୧୯ ଲୋକସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ କଂଗ୍ରେସ ସରକାର ଦେଶର ସମସ୍ତ ଗରିବମାନଙ୍କ ପାଇଁ ‘ସର୍ବନିମ୍ନ ଆୟ ଗ୍ୟାରେଣ୍ଟି’ ଯୋଜନା କରିବ।

ସମ୍ବନ୍ଧିତ ଖବର