ଟିକଟ୍‌ ପାଇଁ ମାୟାବତୀ ମାଗିଥିଲେ ୫ କୋଟି!

ଲକ୍ଷ୍ନୌ: ବହିଷ୍କୃତ ବିଏସ୍‌ପି ନେତା ତଥା ପୂର୍ବ ବିଧାନ ପରିଷଦ ସଦସ୍ୟ ମୁକୁଲ ଉପାଧ୍ୟାୟ ଦଳର ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଉତ୍ତର ପ୍ରଦେଶର ଅଲିଗଡ଼ ସଂସଦୀୟ ଆସନର ଟିକେଟ୍‌ ଦେବା ପାଇଁ ତାଙ୍କଠାରୁ ମାୟାବତୀ ୫ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ ଏହି ଟଙ୍କା ଦେବାକୁ ସେ ଅସାମର୍ଥ୍ୟ ପ୍ରକାଶ କରିବା ପରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା। ବିଏସ୍‌ପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଦଳରୁ ବହିଷ୍କୃତ ହେବା ଯୋଗୁ ସେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଥିବା ଦଳ କହିଛି। ଉଲ୍ଲେଖ‌େଯୋଗ୍ୟ, ଦଳରୁ ବିଦା ହେବାର କିଛି ଘଣ୍ଟା ମଧ୍ୟରେ ବିଏସ୍‌ପିର ବରିଷ୍ଠ ନେତା ତଥା ପୂର୍ବ ଶକ୍ତି ମନ୍ତ୍ରୀ ରାମବୀର ଉପାଧ୍ୟାୟଙ୍କ ସାନଭାଇ ମୁକୁଲ ଏହି ଅଭି‌ଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁକୁଲ ତାଙ୍କ ଭାଇ ରାମବୀରଙ୍କ ବିରୋଧରେ ମଧ୍ୟ ସଙ୍ଗିନ ଅଭି‌ଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ ଭାଇ ରାମବୀର ତାଙ୍କ ପତ୍ନୀ ସୀମାଙ୍କୁ ଅଲିଗଡ଼ ଲୋକସଭା ଟିକେଟ୍ ଦେବାକୁ ଚାହୁଥିଲେ। ଏଥିପାଇଁ ସେ ଷଡ଼ଯନ୍ତ୍ର ରଚିଥିଲେ। ରାଜନୈତିକ ଫାଇଦା ପାଇଁ ଶେଷରେ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଭାଇ ଷଡ଼ଯନ୍ତ୍ର କରିଥିଲେ। ଅଲିଗଡ଼ ଆସନ ପାଇଁ ୫ ‌କୋଟି ଟଙ୍କା ଜମା କରିବାକୁ ହେବ ବୋଲି କୁହାଯାଇଥିବା ମୁକୁଲ କହିଛନ୍ତି।

ସମ୍ବନ୍ଧିତ ଖବର